ମହିଳାଙ୍କୁ ସଂସଦ ଓ ବିଧାନସଭାରେ ଏକତୃତୀୟାଂଶ ସଂରକ୍ଷଣ ଦେବା ପ୍ରସଙ୍ଗକୁ ଉଠାଇବା ନେଇ ଏହା କହିଲେ ପିନାକୀ

ଭୁବନେଶ୍ୱର: ସଂସଦର ଶୀତ ଅଧିବେଶନରେ ବିଜେଡି ପକ୍ଷରୁ ମହିଳାଙ୍କୁ ସଂସଦ ଓ ବିଧାନସଭାରେ ଏକତୃତୀୟାଂଶ ସଂରକ୍ଷଣ ଦେବା ପ୍ରସଙ୍ଗକୁ ଉଠାଇବ ବୋଲି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି।
ପିନାକୀ ମିଶ୍ର କହିଛନ୍ତି ଯେ, ସର୍ବଦଳୀୟ ବୈଠକରେ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହଙ୍କ ସହ କଥା ହୋଇଛନ୍ତି । ଏହା ବିଜେଡିର ପୁରୁଣା ଦାବି । ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବିଜେଡି ଆଗାମୀ ଶୀତ ଅଧିବେଶନରେ ଉଠାଇ ବିଲ୍ ପାସ୍ କରାଇବା ପାଇଁ ଦାବି ରଖିବ । ସେହିପରି ଅନୁସୂଚିତ ଜନଜାତି ବର୍ଗରେ ସାମିଲ ହେବା ସଂକ୍ରାନ୍ତ ବିଲ୍ ଆଗାମୀ ଅଧିବେଶନରେ ଗୃହରେ ଉପସ୍ଥାପନ ହେବାର କାର୍ୟ୍ୟକ୍ରମ ରହିଛି । କିନ୍ତୁ ସେଥିରେ ଆମ ଓଡ଼ିଶାର ଦାବି ମୁତାବକ ଜାତିଗୁଡ଼ିକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରାଯାଇଛି କି ନାହିଁ ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି । ବିଲ୍ କପି ଆମକୁ ମିଳିନି । ଅଧିବେଶନ ସମୟରେ ମିଳିଲେ ସେଥିରେ ଓଡ଼ିଶାର ଦାବିକୁ ସାମିଲ କରାଯାଇଛି କି ନାହିଁ ତାହା ଜଣାପଡ଼ିବ।
ସେହିପରି ଏବେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ନ୍ୟାୟପାଳିକ ଓ ସରକାର ମୁହାଁମୁହିଁ ହେବାକୁ ବିଜେଡି ନାପସନ୍ଦ କରୁଛି । ଦଳ ସ୍ପଷ୍ଟ କରିଛି ଯେ, ନ୍ୟାୟପାଳିକାର ଗାରିମା ରହିବା ଉଚିତ୍ । ନ୍ୟାୟପାଳିକା ସହ ମୁହାଁମୁହିଁ ଆଦୌ ଗ୍ରହଣୀୟ କି ଶୋଭନୀୟ ନୁହେଁ । ଯଦି ନ୍ୟାୟପାଳିକାର କଥାକୁ ସରକାର ନମାନିବେ, ତା’ହେଲେ କୋର୍ଟଙ୍କ ରାୟକୁ ସାଧାରଣ ଲୋକେ କିଭଳି ପାଳନ କରିବେ । ତେଣୁ କଲେଜିୟମ ବାହାରେ ଆଉ ଏକ ଜୁଡିସିଆଲ କମିଶନ ଗଠନ ହେଉ, ଯିଏକି କଲେଜିୟମକୁ ବାଦ୍ ଦେଇ ବିଚାରପତିଙ୍କ ନିଯୁକ୍ତି କରିବେ । ଆଇନରେ ସଂଶୋଧନ ହେବା ପର୍ୟ୍ୟନ୍ତ ଏଭଳି ବନ୍ଦୋବସ୍ତ ହେଉ । କିନ୍ତୁ ସରକାର ଓ ସୁପ୍ରିମକୋର୍ଟ ମୁହାଁମୁହିଁ ହେବା ଯୋଗୁ ସୁସ୍ଥ ପରମ୍ପରା ରହୁନି । ସେଥିପାଇଁ ଏବେ ହାଇକୋର୍ଟଗୁଡ଼ିକରେ ପ୍ରାୟ ୩୦ ପ୍ରତିଶତ ବିଚାରପତି ପଦ ଖାଲି ପଡ଼ିଛି ଓ ୫୦-୭୦ବର୍ଷ ପୁରୁଣା କେସ୍ ଗୁଡ଼ିକ ପଡ଼ି ରହିଛି । ତେଣୁ ଏହି ପ୍ରସଙ୍ଗକୁ ବିଜେଡି ଆଗାମୀ ଶୀତ ଅଧିବେଶନରେ ଉତଥାପନ କରିବ।
Powered by Froala Editor