ପଦାକୁ ଆସିବ ନେତାଙ୍କ କାରନାମା , ୭ଦିନିଆ ରିମାଣ୍ଡରେ ଯିବ ଅର୍ଚ୍ଚନା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପଦାକୁ ଆସିବ ନେତାଙ୍କ କାରନାମା । କାରଣ ଅର୍ଚ୍ଚନାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାରଠାରୁ ୭ଦିନିଆ ରିମାଣ୍ଡରେ ନେଇ ଜେରା କରିବ ।ସୋମବାର ଅର୍ଚ୍ଚନା କୋର୍ଟରୁ ଜେଲ୍ ଯିବା ସମୟରେ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ମୋତେ କିଛି କହିବାକୁ ସୁଯୋଗ ଦିଆଯାଉନାହିଁ । ପୁଲିସ୍ ମୋ ମୁହଁ ବନ୍ଦ କରି କୋର୍ଟ ଚାଲାଣ କରିଛି । ମୁଁ ଚାହୁଁଛି ମାମଲାର ସିବିଆଇ ତଦନ୍ତ ହେଲେ ସବୁ କଥା ବାହାରିବ । ସିବିଆଇକୁ ମୁଁ ସବୁ କଥା କହିବି । ମୋତେ ଏକତରଫା ଭାବେ ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।
ସୋମବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ଅର୍ଚ୍ଚନାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ହାଜର କରାଯାଇଥିଲା । ଇଡି ପକ୍ଷରୁ ତାଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା । କୋର୍ଟ ୭ ଦିନ ମଞ୍ଜୁର କରିଛନ୍ତି । ଏହି ୭ ଦିନ ନେତା/ମନ୍ତ୍ରୀ ଲିଙ୍କ୍ ସହ ଅର୍ଚ୍ଚନାଙ୍କ ଆର୍ଥିକ କାରବାର ଖୋଜିବ ଇଡି । ଆସନ୍ତା ୧୨ ତାରିଖ ପର୍ୟ୍ୟନ୍ତ ସେ ଇଡି ରିମାଣ୍ଡରେ ରହିବେ ।
ସେପଟେ ଅର୍ଚ୍ଚନାଙ୍କ ଅନ୍ୟ ଜଣେ ସହଯୋଗୀ ପବିତ୍ର ପାତ୍ର ସୋମବାର ଇଡିରେ ହାଜର ହୋଇଥିଲେ । ଅର୍ଚ୍ଚନାଙ୍କ ସହ ତାଙ୍କର ଟଙ୍କା କାରବାର ନେଇ ଅଧିକାରୀମାନେ ତାଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ । ଜେରା ସମୟରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । ତାଙ୍କୁ ପୁଣି ଜେରା କରାଯିବ ବୋଲି ଜଣାପଡ଼ିଛି । ତା’ଛଡ଼ା ଅର୍ଚ୍ଚନାଙ୍କ ରିମାଣ୍ଡ ସମୟରେ ପ୍ରଯୋଜକ ଅକ୍ଷୟ ପରିଜା ଓ ପ୍ରମୋଦ ସ୍ୱାଇଁଙ୍କୁ ମଧ୍ୟ ଜେରା କରାଯିବ ଇଡିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଦୁଇ ଜଣଙ୍କୁ ଅର୍ଚ୍ଚନା ସହ ସାମ୍ନାସାମ୍ନି ଜେରା କରାଯିବ ।
Powered by Froala Editor