ସୁପ୍ରିମକୋର୍ଟରେ ଗଠନ ହେଲା ମହିଳା ବେଞ୍ଚ
ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ବୁଧବାର ଜଷ୍ଟିସ ହିମା କୋହଲି ଏବଂ ବେଲା ଏମ ତ୍ରିବେଦୀଙ୍କୁ ନେଇ ଏକ ମହିଳା ବେଞ୍ଚ ଗଠନ କରିଛନ୍ତି। ମହିଳା ବେଞ୍ଚ ଗଠନ ଦିଗରେ ସୁପ୍ରିମକୋର୍ଟରେ ଏହା ହେଉଛି ତୃତୀୟ ଥର। ମୁଖ୍ୟତଃ ବୈବାହିକ ବିବାଦ ଏବଂ ଏ ସଂପର୍କିତ ଜାମିନ ମାମଲାର ଶୁଣାଣି ପାଇଁ ଏହି ବେଞ୍ଚ ଗଠନ କରାଯାଇଛି।
ଏହି ବେଞ୍ଚ ୧୦ ଟି ଟ୍ରାନ୍ସଫର ଆବେଦନ, ୧୦ଟି ଜାମିନ ମାମଲା, ୯ଟି ନାଗରିକ ମାମଲା ଏବଂ ୩ଟି ଅପରାଧିକ ମାମଲା ଶୁଣାଣି କରିବ। ଗତ ମାସରେ ପ୍ରଧାନ ବିଚାରପତି କହିଥିଲେ ଯେ ସପ୍ଲିମେଣ୍ଟାରୀ ତାଲିକାରେ ମାମଲା ହ୍ରାସ ପାଇଁ ସୁପ୍ରିମକୋର୍ଟର ପ୍ରତ୍ୟେକ ବେଞ୍ଚ ପ୍ରତ୍ୟେକ କାର୍ୟ୍ୟ ଦିନରେ ୧୦ ଟି ଟ୍ରାନ୍ସଫର ଏବଂ ଜାମିନ ଆବେଦନ ମାମଲା ଶୁଣାଣି କରିବ। ଏହି ଦୁଇ ଜଣିଆ ସର୍ବମହିଳା ଖଣ୍ଡପୀଠ ବର୍ତ୍ତମାନ ଶୀର୍ଷ ଅଦାଲତର ୧୧ ନମ୍ବର କୋର୍ଟ ରୁମ୍ରେ ବସୁଛନ୍ତି। ଏହି ଖଣ୍ଡପୀଠ ନିକଟରେ ଏହା ପୂର୍ବରୁ ୩୨ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି। ଏଥିମଧ୍ୟରେ ବୈବାହିକ ବିବାଦ ସହିତ ଜଡିତ ୧୦ଟି ମାମଲାର ସ୍ଥାନାନ୍ତର ଆବେଦନରୁ ଆରମ୍ଭ କରି ୧୦ଟି ଜାମିନ ଆବେଦନ ମାମଲା ରହିଛି।
୨୦୧୩ରେ ଜଷ୍ଟିସ ଜ୍ଞାନ ସୁଧା ମିଶ୍ର ଏବଂ ରଂଜନା ପ୍ରକାଶ ଦେଶାଇଙ୍କୁ ନେଇ ସର୍ବପ୍ରଥମ ସର୍ବମହିଳା ଖଣ୍ଡପୀଠ ଗଠନ କରାଯାଇଥିଲା। ପରେ ୨୦୧୮ରେ ଜଷ୍ଟିସ ଆର ବନୁମତି ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଅନ୍ୟ ଏକ ସର୍ବମହିଳା ଖଣ୍ଡପୀଠ ଗଠନ କରାଯାଇଥିଲା।
ଜଷ୍ଟିସ ହିମା କୋହଲି, ଜଷ୍ଟିସ୍ ବି ଭି ନାଗାରାଥନା ଏବଂ ଜଷ୍ଟିସ୍ ବେଲା ଏମ ତ୍ରିବେଦୀଙ୍କ ସମେତ ବର୍ତ୍ତମାନ ସର୍ବୋଚ୍ଚ ଅଦାଲତରେ ତିନି ଜଣ ମହିଳା ବିଚାରପତି ଅଛନ୍ତି।
Powered by Froala Editor