୧୧ ଦୋଷୀଙ୍କୁ ଜେଲ୍ରୁ ମୁକ୍ତି ଦେବା ଘଟଣା: ସୁପ୍ରିମକୋର୍ଟ ଗଲେ ବିଲକିସ୍ ବାନୋ
୨୦୦୨ ବିଲ୍କିସ ବାନୋ ଗଣ ଦୁଷ୍କର୍ମ ମାମଲାରେ ୧୧ ଦୋଷୀଙ୍କୁ ଜେଲ୍ରୁ ମୁକ୍ତି ଦେବା ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି। ନିଜେ ବିଲ୍କିସ୍ ବାନୋ ଅପରାଧୀଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଆଡ୍ରେସ୍ କରି ଏହି ଆବେଦନ କରାଯାଇଛି। ତେବେ ଉଭୟପକ୍ଷଙ୍କ ଆବେଦନ ଶୁଣି ପରୀକ୍ଷା କରିବେ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କରିଛନ୍ତି।
ବିଲ୍କିସ୍ ବାନୋଙ୍କ ଓକିଲ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଆଗରେ ଘଟଣା କହିବା ପରେ ସେ କହିଛନ୍ତି, ଉକ୍ତ ପିଟିସନ୍ର ଶୁଣାଣି କରାଯିବ। ଏହି ପିଟିସନ୍ରେ ବିଲ୍କିସ୍ ବାନୋ କହିଛନ୍ତି, ଦୋଷୀଙ୍କ ମୁକ୍ତି ବିଷୟରେ ଗୁଜରାଟ ନୁହେଁ ମହାରାଷ୍ଟ୍ର ନିଷ୍ପତ୍ତି ଗ୍ରହଣ କରିବା ଉଚିତ।
ସୂଚନା ଅନୁଯାୟୀ, ୨୦୦୨ ମାର୍ଚ୍ଚ ୩ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍ ବାନୋ ସେତେବେଳେ ୩ ମାସର ଗର୍ଭବତୀ ଥିଲେ । ଗୁଜରାଟର ଲିମଖେଡା ଅଞ୍ଚଳରେ ମବ୍ ଲିଞ୍ଚିଂରେ ବିଲକିସ୍ ବାନୋଙ୍କ ୩ ବର୍ଷର ଝିଅ ସମେତ ୧୪ ଜଣଙ୍କୁ ହତ୍ୟା କରାଯାଇଥିଲା । କେବଳ ବାନୋଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ତାଙ୍କ ଆଖି ସାମ୍ନାରେ ହିଁ ହତ୍ୟା କରାଯାଇଥିଲା । ଦୁର୍ବୁତ୍ତମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଗୁରୁତର ଅବସ୍ଥାରେ ବାନୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବିଲକିସ୍ ବାନୋଙ୍କୁ ଅଭିଯୁକ୍ତମାନେ ହତ୍ୟା ଧମକ ଦେବା ପରେ ମାମଲାକୁ ଗୁଜରାଟରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପରେ ଗତ ୨୦୦୮ ଜାନୁଆରୀ ୨୧ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୧୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।
ସୁପ୍ରିମ କୋର୍ଟ ଏହି ଘଟଣାରେ ୧୯୯୨ର କ୍ଷମା ନୀତି ଆପଣାଇବାକୁ ଗୁଜୁରାଟ ସରକାରଙ୍କୁ ଅନୁମତି ଦେଇଥିଲେ। ଏହାପରେ ଗୁଜରାଟ ସରକାର ଅପରାଧୀଙ୍କୁ ଏହି ଆଇନରେ ଅଧିନରେ ଜେଲ୍ରୁ ଖଲାସ କରିଥିଲେ। ଏହି ଦୁଇଟିଯାକା ନିଷ୍ପତ୍ତିକୁ ବିଲକିସ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ଆବେଦନରେ କୁହାଯାଇଛି ଯେ ୧୧ ଅପରାଧୀଙ୍କୁ କ୍ଷମା ନୀତିରେ ଜେଲ୍ରୁ ଛଡ଼ାଯିବାର ନଥିଲା। ମହାରାଷ୍ଟ୍ରୀ କ୍ଷମାନୀତି ଆଧାରରେ ଏହାର ବିଚାର କରାଯାଉ।
Powered by Froala Editor