କୋର୍ଟରେ ଏସ୍ଡିଜେଏମ୍ଙ୍କୁ ଛୁରିରେ ଆକ୍ରମଣ
ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ସୋମବାର ଏକ ମାମଲାର ଶୁଣାଣି ଚାଲିଥିଲା ବେଳେ ଏସ୍ଡିଜେଏମ୍ଙ୍କୁ ଜଣେ ଯୁବକ ଛୁରିରେ ଆକ୍ରମଣ ଉଦ୍ୟମ କରିଛି। କର୍ମଚାରୀମାନେ ଅଭିଯୁକ୍ତ ଯୁବକକୁ କାବୁ କରି ପୁଲିସ ନିକଟରେ ଜିମା ଦେଇଛନ୍ତି। ପୁଲିସ ଅଭିଯୁକ୍ତ ଭଗବାନ ସାହୁକୁ ଅଟକ ରଖି ପଚରାଉଚରା କରୁଛି। ଏସ୍ଡିଜେଏମ୍ କୋର୍ଟରେ ଘଟିଥିବା ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି।
ଭଗବାନ ସାହୁଙ୍କ ଘର ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। କୌଣସି ଏକ ମାମଲାରେ ସେ ଆଜି କୋର୍ଟକୁ ଆସିଥିଲେ ତେବେ ସୁରକ୍ଷା ବ୍ୟବସ୍ଥା ଢିଲାଥିବା ଦେଖି ଏସ୍ଡିଜେଏମ୍ଙ୍କ ଡାଏସ୍ ଉପରକୁ ଛୁରୀ ଧରି ଚଢ଼ି ଯାଇଥିଲେ। କୋର୍ଟକୁ ଆସିବା ବେଳେ ସେ ମଦ୍ୟପାନ କରିଥିବା ସୂଚନା ମିଳିଛି।
ଯୁବକର ଉନ୍ମୁକ୍ତ କାଣ୍ଡ ଯୋଗୁଁ ଜଜ୍ ଭୟଭୀତ ହୋଇଯାଇଥିଲେ। ସେହି ପାଖରେ ଥିବା ଆଇନଜୀବୀ ମୃତ୍ୟୁଞ୍ଜୟ ମହାରଣା ଓ କୋର୍ଟର ଅନ୍ୟ ଜଣେ ମହିଳା କର୍ମଚାରୀଙ୍କ ସହାୟତାରେ ତଳକୁ ଡେଇଁପଡ଼ିଥିଲେ।
ଅନ୍ୟପଟରେ ସଫେଇ କର୍ମଚାରୀ ଶଙ୍କର ରାଓ ଦୌଡ଼ିଯାଇ ଜଜଙ୍କୁ ରକ୍ଷାକରିବାକୁ ଉଦ୍ୟମ କରିଥିଲେ। ସେ ଦୌଡ଼ିଯାଇ ଯୁବକଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ପରେ ଉପସ୍ଥିତ କର୍ମଚାରୀମାନେ ଯୁବକକୁ କାବୁ କରିଥିଲେ। କୋର୍ଟ ସହାୟକ ନିରୀକ୍ଷକ (ସିଏସ୍ଆଇ) କାର୍ଯ୍ୟାଳୟର କର୍ମାରୀମାନେ ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଭଗବାନ ସାହୁକୁ ଜିମା ଦିଆଯାଇଛି।
Powered by Froala Editor