ସରପଞ୍ଚଙ୍କୁ ପୁଣି ମିଳିଲା ଜିଲ୍ଲାପାଳ କ୍ଷମତା

କରୋନାର ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ବୈଠକରେ ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ ଆଶା କର୍ମୀ କରିବେ ବୋଲି ନିଷ୍ପତ୍ତି ହୋଇଛି । ଏଥିସହ ଗତବର୍ଷ ପରି ଏଥର ମଧ୍ୟ ସରପଞ୍ଚଙ୍କୁ ପୁଣି ଥରେ ଜିଲ୍ଲାପାଳ କ୍ଷମତା ମିଳିଛି। ପରିସ୍ଥିତିକୁ ଦେଖି ସେମାନେ ଗାଁରେ ଲକଡାଉନ ବା କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ ।
ଏଏନଏମ ଓ ଆଶାକର୍ମୀମାନେ ଗାଁରେ ଘରକୁ ଘର ବୁଲି କରୋନା ଲକ୍ଷଣ, ଅନ୍ୟାନ୍ୟ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରେତ୍ସାହନ ରାଶି ମିଳିବ । ସଂଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ଆଶାକର୍ମୀଙ୍କୁ ସାଇକେଲ, ଛତା, ଟର୍ଚ୍ଚ, ଚପଲ ଆଦି କିଣିବା ପାଇଁ ୧୦ ହଜାର ଟଙ୍କା ମିଳିବ । କୋଭିଡ ନିୟନ୍ତ୍ରଣ କାର୍ୟ଼୍ୟରେ ସାମିଲ ହେବ ଗାଁ କଲ୍ୟାଣ କମିଟି ।
ସେହିପରି କରୋନାରେ ମୃତ ପରିବାରକୁ ପେନସନ ମିଳିବ । ମା ଓ ବାପାଙ୍କୁ ହରାଇଥିବା ପିଲାମାନଙ୍କୁ ମଧୁବାବୁ ପେନସନ ଯ଼ୋଜନାରେ ସାମିଲ କରାଯ଼ିବା ସହ ମାଗଣା ଶିକ୍ଷା ମିଳିବ । ଅନ୍ୟପକ୍ଷରେ ରାଜ୍ୟରେ ଅକ୍ସିଜେନ ବ୍ୟବହାର ପାଇଁ ସରକାର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବେ । ରାଜ୍ୟର ଅକ୍ସିଜେନ ଆବଶ୍ୟକତା ଉପରେ ଏକ ଟାକ୍ସଫୋର୍ସ ନଜର ରଖିବ ଓ ଆବଶ୍ୟକ ଯ଼ୋଜନା ପ୍ରସ୍ତୁତ କରିବ ।
ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ଯ୍ୟ ବିଶେଷତଃ, ମିଶନ ଶକ୍ତି ଗ୍ରୁପ ଠାରୁ କିଣି ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Powered by Froala Editor