ପାରା ଧରିବାକୁ ଯାଇ ୩୩ କେଭି ତାରରେ ଖସିପଡ଼ିଲା ନାବାଳକ

ପାରା ଧରିବାକୁ ଯାଇ ଜଣେ ୧୦ ବର୍ଷର ନାବାଳକ ବିଦ୍ୟୁତ୍ ଆଘାତରେ ଗୁରୁତର ଆହତ ହୋଇଛି। ପାରା ଧରିବା ସମୟରେ ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟେସନର ଇଲେକ୍ଟ୍ରି ଖୁଣ୍ଟରେ ଲାଗିଯାଇ ନାବାଳକ ଜଣକ ପୋଡ଼ି ହୋଇଯାଇଛି । ଟ୍ରେନ ଉପରେ ଲାଗିଥିବା ହାଇ ଭୋଲଟେଜ କରେଣ୍ଟ ଲାଗି ସେ ତଳେ ପଡିଯାଇଥିଲା । ତା’ ଶରୀରର ୯୦ ଭାଗ ପୋଡ଼ି ଯାଇଛି। ସ୍ଥାନୀୟ ଲୋକମାନେ ତାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ସୂଚନା ଅନୁଯାୟୀ, ସ୍ଥାନୀୟ ମଞ୍ଚେଶ୍ବର ପାତ୍ର ସାହିତ ପ୍ରମୋଦ ଘଡ଼େଇଙ୍କ ପୁଅ ମୁନା ଶନିବାର ମଧ୍ୟାହ୍ନରେ କିଛି ସାଥୀଙ୍କ ସହ ରେଳଷ୍ଟେସନ୍ ଫୁଟ୍ ଓଭରବ୍ରିଜ୍ ତଳେ ରହୁଥିବା ପାରାଙ୍କୁ ଧରିବା ପାଇଁ ହାତ ବଢ଼ାଉଥିବା ବେଳେ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ିଥିଲା। କିନ୍ତୁ ତଳେ ପଡ଼ିବା ପୂର୍ବରୁ ତଳେ ଝୁଲୁଥିବା ୩୩ ହଜାର କେଭି ବିୁଦ୍ୟତ୍ ତାର ଉପରେ ପଡ଼ି ଯାଇଥିଲା। ଉଚ୍ଚକ୍ଷମତା ସଂପନ୍ନ ଏହି ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ତା’ ଶରୀରରେ ନିଆଁ ଲାଗି ଯାଇଥିଲା ଓ ପରେ ସେ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଥିବା କିଛି ଲୋକ ଶିଶୁଟିକୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ୍ରେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଇଥିଲେ। ବର୍ତ୍ତମାନ ଶିଶୁଟିର ଅବସ୍ଥା ସଂକଟାପନ୍ନ ରହିଛି।
Powered by Froala Editor