ଅଣନିଶ୍ୱାସୀ ଦିଲ୍ଲୀବାସୀ : ଘରୁ କାମ କରିବାକୁ ଅପିଲ

ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସୀ । ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଗୁରୁତର ଶ୍ରେଣୀରେ ପହଞ୍ଚିବା ପରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଏନସିଆରରେ କାର୍ଯ୍ୟକାରୀ ହୋଇଥିବା ଗ୍ରେପ୍ର କଠୋରତାକୁ ଆହୁରି ବଢ଼ାଇ ଦେଇଛନ୍ତି। ଆୟୋଗ ଆବେଦନ କରିଛନ୍ତି ଯେ ଯଦି ସମ୍ଭବ ତେବେ ଘରୁ କାମ କରନ୍ତୁ । କେତେକ ନିର୍ଦ୍ଦିଷ୍ଟ ସେବା ବ୍ୟତୀତ ଅନ୍ୟ ସମସ୍ତ ବିଭାଗରେ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଏପରିକି ପ୍ରଦୂଷଣ ବଢାଉଥିବା ଗାଡି ଚଳାଚଳକୁ ନିଷେଧ କରାଯାଇଛି । ଦିଲ୍ଲୀ-ଏନସିଆରରେ ପଡୁଥିବା ଜିଲାର ପ୍ରଶାସନଙ୍କୁ ନିଜ ନିଜ ଅଞ୍ଚଳରେ ବିଏସ-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆୟୋଗ କହିଛନ୍ତି।
ଲୋକମାନେ ସାଧାରଣ ପରିବହନ କିମ୍ବା ଶେୟାର ରାଇଡ ବ୍ୟବହାର କରିବାକୁ ଆୟୋଗ ଅପିଲ କରିଛନ୍ତି। ଏହା ବ୍ୟତୀତ ସାଇକେଲ କିମ୍ବା ଚାଲିଚାଲି ଯିବାକୁ ଲୋକଙ୍କୁ କୁହାଯାଇଛି। ଯଦି କାର୍ଯ୍ୟ ପ୍ରଭାବିତ ନହୁଏ ତେବେ ଘରୁ ମଧ୍ୟ କାମ କରିବାକୂ ପରାମର୍ଶ ଦିଆଯାଇଛି।
Powered by Froala Editor