୧୨୫ଟି ନୂଆ ଓଏଏସ୍ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ଗ୍ରୁପ-ଏ(କନିଷ୍ଠ ବର୍ଗ)ରେ ୧୨୫ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଫାଇଭ-ଟି ଓ ମୋ ସରକାର କାର୍ୟ୍ୟକାରୀ ହେବା ପରଠୁ ଜିଲ୍ଲା ଓ ତଳସ୍ତରରେ ରାଜସ୍ୱ ପ୍ରଶାସନରେ ଅଧିକ କାର୍ୟ୍ୟଭାର ବୃଦ୍ଧି ପାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଏଏସ୍ ଗ୍ରୁପ-ଏ(କନିଷ୍ଠ ବର୍ଗ) ଗ୍ରେଡରେ ଅତିରିକ୍ତ ୧୨୫ଟି ପଦବୀ ସୃଷ୍ଟି କରାଯାଇ କ୍ୟାଡ଼ର ପଦବୀ ସଂଖ୍ୟାକୁ ୧୩୧୩କୁ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ଓଏଏସ୍ ଗ୍ରୁପ-ଏ(କନିଷ୍ଠ ବର୍ଗ)ରେ କ୍ୟାଡ଼ର ପଦବୀ ସଂଖ୍ୟା ୧୧୮୮ ରହିଛି । ଏହି ବର୍ଦ୍ଧିତ ୧୨୫ଟି ପଦବୀ ମଧ୍ୟରୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ୨ଟି ଲେଖାଏଁ ଡେପୁଟି କଲେକ୍ଟର ପଦବୀ ଅର୍ଥାତ୍ ୩୦ଟି ଜିଲ୍ଲାରେ ମୋଟ ୬୦ଟି ପଦବୀ ସୃଷ୍ଟି କରାଯିବ । ସେହିପରି ରାଜ୍ୟର ସମସ୍ତ ସବ୍ କଲେକ୍ଟର କାର୍ୟ୍ୟାଳୟରେ ଗୋଟିଏ ଲେଖାଏଁ ଡେପୁଟି କଲେକ୍ଟର ପଦବୀରେ ମୋଟ ୫୮ଟି ପଦବୀ, ବୋର୍ଡ ଅଫ ରେଭନ୍ୟୁରେ ୪ଟି ଅଣ୍ଡର ସେକ୍ରେଟେରୀ ପଦବୀ ଏବଂ ଭୁବନେଶ୍ୱର,ପାରାଦୀପ ଓ ରାଉରକେଲା ଏଡ଼ିଏମ ଅଫିସରେ ଜଣେ ଲେଖାଏଁ ଡେପୁଟି କଲେକ୍ଟର ପଦବୀ ନିମନ୍ତେ ଏହି ୧୨୫ଟି ଓଏଏସ(କନିଷ୍ଠ ବର୍ଗ) କ୍ୟାଡ଼ର ପଦବୀ ସୃଷ୍ଟି ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
Powered by Froala Editor