ଧାମରାଠାରୁ ୨୦୦କିମି ଦୂରରେ ଯିବ ବାତ୍ୟା
ଭୁବନେଶ୍ୱର: ୨୪ ତାରିଖରେ ବାତ୍ୟା ହେବ । କିନ୍ତୁ ଓଡ଼ିଶାଠାରୁ ବହୁ ଦୂରରେ ପଳାଇବ । ଧାମରାଠାରୁ ୨୦୦କିମି ଦୂରରେ ଯିବ । ୨୫ ତାରିଖ ସନ୍ଧ୍ୟାରେ ବାତ୍ୟା ପଶ୍ଚିମବଙ୍ଗ ଓ ବାଲାଂଦେଶରେ ସ୍ଥଳଭାଗ ଛୁଇଁବ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍ଡି) କରିଥିବା ଆକଳନ ଉପରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ୨୩ରେ ତୀବ୍ର ଅବପାତରେ ପରିଣତ ହେବ । ୨୪ରେ ବାତ୍ୟା ରୂପ ନେବ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବନି । ଉପକୂଳ ସହ ସମାନ୍ତରାଳ ହୋଇ ପଳାଇବ । ଧାମରାର ପୂର୍ବରେ ୨୦୦କିମି ଦୂରରେ ବାତ୍ୟା ଅତିକ୍ରମ କରିବ । ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରର ଅଳ୍ପ କିଛି ଅଞ୍ଚଳରେ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ଅନ୍ୟ ସ୍ଥାନରେ ୩୦କିମି ବେଗରେ ପବନ ବହିପାରେ । ଅଧିକ ବେଗରେ ପବନ ବହିବନି । ପବନଜନିତ ବିଶେଷ କ୍ଷୟକ୍ଷତିର ଆଶଙ୍କା ନ ଥିବା ସେ କହିଛନ୍ତି ।
ବାତ୍ୟା ପ୍ରଭାବରେ ୨୪ରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆଶଙ୍କା ଅଛି । କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନେ ତୁରନ୍ତ ସମୁଦ୍ର ଭିତରୁ ଫେରି ଆସନ୍ତୁ । ଆସନ୍ତା ୨୬ ତାରିଖ ଯାଏ କେହି ସମୁଦ୍ର ଭିତରକୁ ନ ଯିବାକୁ ସେ ଅପିଲ୍ କରିଛନ୍ତି ।
Powered by Froala Editor