୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ
ନୀଳଗିରି : ନଭେମ୍ବର ୧ରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିବ କୁଲଡିହା ଅଭୟାରଣ୍ୟ । ପର୍ୟ୍ୟଟନ ଋତୁରେ ଚଳିତ ବର୍ଷ ବେଶ ଗହଳି ଜମିବ । ଗୋହିରାଭୋଳର ନେଚର୍ସ କ୍ୟାମ୍ପ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ତତ୍ସହିତ ୱାଚ୍ ଟାୱାରରେ ବିଭିନ୍ନ ଜୀବଜନ୍ତୁ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ପର୍ୟ୍ୟଟକମାନେ ନୀଳଗାଈ, ବଳିଆ କୁକୁର ଦେଖିବାକୁ ପାଇବାର ସମ୍ଭାବନା ରହିବ । ନଭେମ୍ବର ୧ରୁ ଜୁନ୍ ୧୫ ତାରିଖ୍ ପର୍ୟ୍ୟନ୍ତ ଅଭୟାରଣ୍ୟ ଖୋଲା ରହିବା ନେଇ କୁଲଡିହା ବନ ବିଭାଗ ବ୍ୟାପକ ପ୍ରସ୍ତୁତି ଚଳାଇଛି ।
ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ପର୍ୟ୍ୟଟକଙ୍କୁ କିପରି ଆକୃଷ୍ଟ କରାଯିବ³ ଏନେଇ ବାଲେଶ୍ୱର ଡିଏଫଓ ଆୟୁଷ ଜୈନଙ୍କ ତତ୍ତ୍ୱାବଧାନରେ କୁଲଡିହା ରେଞ୍ଜର ଅନନ୍ତ କୁମାର ଜେନା ବ୍ୟାପକ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ୪ଟି କୃତ୍ରିମ ସଲ୍ଟପିଟ୍, ୪ଟି ୱାଚ୍ ଟାୱାର, ବୋଟିଂ ବ୍ୟବସ୍ଥା, ଟ୍ରାଭେଲ ୱିଥ୍ ଗାଇଡ୍ ଏବଂ ରାତ୍ର ରହଣି ନିମନ୍ତେ ନେଚର୍ସ କ୍ୟାମ୍ପରେ ତମ୍ବୁଘର ନବ କଳେବର ହୋଇଛି । ଅଭୟାରଣ୍ୟର କୁଲଡିହା, ଜଡ଼ାଚୁଆ, ଗୋହିରାଭୋଳ, ପୁରୁଣାପାଣି ଆଦି ସ୍ଥାନରେ ଏହି କୃତ୍ରିମ ସଲ୍ଟପିଟ୍ ବ୍ୟବସ୍ଥା କରାଯାଇଛି । ଏହି ସଲ୍ଟପିଟ୍ରେ ବିଭିନ୍ନ ଜୀବଜନ୍ତୁ ଲୁଣ ଖାଇବାକୁ ଆସିବା ବେଳେ ଦୁରରୁ ପର୍ୟ୍ୟଟକମାନେ ୱାଚ୍ ଟାୱାରରୁ ଜୀବଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ।ବିଗତ ୨ ବର୍ଷ କୋଭିଡ୍ କଟକଣା ପାଇଁ ପର୍ୟ୍ୟଟକମାନେ ଆସି ପାରି ନଥିବାରୁ ଚଳିତ ବର୍ଷ ବେଶ୍ ଗହଳି ଜମିବ ବୋଲି ଅନୁମାନ କରାଯାଉଛି।
Powered by Froala Editor