ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ଇଡିର ରେଡ୍

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ପୁଣି ଘାଣ୍ଟିଲା ଇଡି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ରେଡ୍ କରିଛି । ଆଜି ସକାଳୁ ରେଡ୍ କରାଯାଉଥିବା ସୂଚନା ମିଳିଛି । ଗିରଫ ମଦ ବ୍ୟବସାୟୀ ଇଣ୍ଡୋସ୍ପିରିଟର ମାଲିକ ସମୀର ମହେନ୍ଦ୍ରୁଙ୍କ ପଚରାଉଚରା ସମୟରେ ଏହି ଅବକାରୀ ନୀତି ମାମଲାରେ ପଞ୍ଜାବ ଓ ହାଇଦ୍ରାବାଦ ଲିଙ୍କ୍ ଘଟଣା ସାମ୍ନାକୁ ଆସିଥିଲା । ଏହି ପରିପ୍ରେକ୍ଷୀରେ ଆଜି ୩୫ ସ୍ଥାନରେ ପୁଣି ତନାଘନା କରୁଛି ଇଡି । ଏହିସବୁ ରାଜ୍ୟର ମଦ କମ୍ପାନୀ, ଯୋଗାଣ ବ୍ୟବସ୍ଥା ସହ ଜଡିତ ଥିବା ବ୍ୟକ୍ତିବିଶେଷଙ୍କ ଘରେ ଚଢାଉ ଚାଲିଥିବା ସୂଚନା ମିଳିଛି ।
ମଦ ଦୁର୍ନୀତି ମାମଲାରେ ଏ ପର୍ୟ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୦୩ରୁ ଅଧିକ ସ୍ଥାନରେ ଚଢାଉ କରିସାରିଲାଣି । ଏହି ଘଟଣାରେ ଇଣ୍ଡୋସ୍ପିରିଟର ମାଲିକ ତଥା ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ମଧ୍ୟ ଗିରଫ କରାଯାଇଛି । ସମୀର ମହେନ୍ଦ୍ରୁ ମନୀଷ ସିସୋଦିଆଙ୍କ ସହଯୋଗୀଙ୍କୁ ଦୁଇ ଥର କୋଟି କୋଟି ଟଙ୍କା ଦେଇଥିବା ଅଭିଯୋଗ ରହିଛି ।
ଅନ୍ୟପଟେ ଆଜି ଇଡି ରେଡ୍କୁ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଟ୍ବିଟ୍ କରିଛନ୍ତି, ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ପ୍ରମାଣ ପାଇବା ଲାଗି ୩ ମାସ ହେବ ୫୦୦ରୁ ଅଧିକ ଚଢାଉ ହେଲାଣି । ସିବିଆଇ ଓ ଇଡି ଅଧିକାରୀମାନେ ୨୪ ଘଣ୍ଟା ପରିଶ୍ରମ କରୁଛନ୍ତି । ହେଲେ କୌଣସି ପ୍ରମାଣ ପାଉନାହାନ୍ତି କାରଣ ସେମିତି କିଛି ନାହିଁ । ସେମାନଙ୍କର ଘୃଣ୍ୟ ରାଜନୀତି ପାଇଁ ବହୁ ଅଫିସରଙ୍କ ସମୟ ନଷ୍ଟ ହେଉଛି । ଏମିତିରେ କେମିତି ଗୋଟିଏ ଦେଶ ଆଗକୁ ବଢିବ ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।
Powered by Froala Editor