ପ୍ରତିମାସରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବା ନେଇ ଏଭଳି କହିଲେ ବୈଜୟନ୍ତ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଏବେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ସାଂଗଠନିକ କାର୍ୟ୍ୟକ୍ରମକୁ ଜୋରଦାର କରୁଥିବାବେଳେ ପ୍ରତିମାସରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି ।ଶ୍ରୀ ପଣ୍ଡା କହିଛନ୍ତି ଯେ, ବିଜେପିର ସାଂଗଠନିକ କାର୍ୟ୍ୟ ପାଇଁ ପ୍ରତିମାସରେ ଓଡ଼ିଶାକୁ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ୨ଦିନିଆ ଗସ୍ତରେ ଆସିବେ । ସରକାରୀ କାର୍ୟ୍ୟକ୍ରମର ସମୀକ୍ଷା କରି ସହ ସଂଗଠନ ସମ୍ପର୍କରେ ଆଲୋଚନା କରି ମାର୍ଗଦର୍ଶନ କରିବେ । ଏହାର ନିଶ୍ଚିତ ଭଲ ପ୍ରଭାବ ପଡ଼ିବ ।
କେନ୍ଦ୍ରମନ୍ତ୍ରୀମାନଙ୍କର ଏଭଳି ଗସ୍ତ ଓ ସରକାରୀ ସମୀକ୍ଷାକୁ ନେଇ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀମାନେ ଅସହିଷ୍ଣୁ ମନୋଭାବ ପୋଷଣ କରୁଛନ୍ତି । ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାକୁ କାର୍ୟ୍ୟକାରୀ କରାଇବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି କି କେନ୍ଦ୍ର ସରକାର ବିଫଳ, ତାହା ରାଜ୍ୟବାସୀ ଜାଣନ୍ତି । କେନ୍ଦ୍ରମନ୍ତ୍ରୀମାନେ ଏବେ ଯେଉଁ ସମୀକ୍ଷା କରୁଛନ୍ତି ତାହା ଇନ୍ସପେକ୍ଟରରାଜ୍ ଭଳି ଲାଗୁଛି ।
ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ୭ଜଣ କ’ଣ ୧୦ଜଣ ଆସିଲେ ବି ଓଡ଼ିଶାର କିଛି ଲାଭ ହେବାର ନାହିଁ । କଂଗ୍ରେସ ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଉଛି । ଆସନ୍ତା ୧୭ତାରିଖ ସନ୍ଧ୍ୟାରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ ଓଡ଼ିଶା ଆସିବେ । ୧୮ତାରିଖରେ ସେମାନଙ୍କର କାର୍ୟ୍ୟକ୍ରମ ରହିଛି । ଭାରତଯୋଡ଼୍ କାର୍ୟ୍ୟକ୍ରମ ଅନ୍ତର୍ଗତ ଦଳୀୟ ସଂଗଠନକୁ ସୁଦୃଢ଼ ପାଇଁ ସେମାନେ ମାର୍ଗଦର୍ଶନ କରିବେ ।
Powered by Froala Editor