ବୃଦ୍ଧାଙ୍କୁ ହତ୍ୟା କରି ଲୁଟିନେଲେ ସୁନା ଗହଣା
ସାନଖେମୁଣ୍ଡି : ଘରେ ପଶି ବୃଦ୍ଧାଙ୍କୁ ହତ୍ୟା କରି ଲୁଟିନେଲେ ସୁନା ଗହଣା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକରେ ଗତକାଲି ବିଳମ୍ଵିତ ରାତିରେ ଏଭଳି ଘଟଣା ଘଟିଛି। ମୃତକଙ୍କ ବେକ ଓ କାନରେ କଟା ଚିହ୍ନ ରହିଛି।
ସୂଚନାନୁଯାୟୀ, ଶନିବାର ରାତିରେ ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ରାମେୟା ପାତ୍ରଙ୍କ ଘରେ ଚୋରି ହୋଇଛି। ରାମେୟା ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ବାଦ୍ରୀ ଆଡ଼ି ପାତ୍ର ଘର ଭିତରେ ଶୋଇଥିଲେ। ଚୋରମାନେ ବାରି ପଟେ ଘର ଭିତର ତାଲା ଭାଙ୍ଗି ପଶି ବୃଦ୍ଧାଙ୍କୁ ହତ୍ୟା କରିବା ପରେ କାନ, ନାକ ବେକରେ ଥିବା ଅଳଙ୍କାର ଲୁଟି ନେଇଛନ୍ତି। ବୃଦ୍ଧାଙ୍କ ଦୁଇ କାନ, ନାକ ଏବଂ ମୁଣ୍ଡରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଦିଗପହଣ୍ଡି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିଛନ୍ତି। ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
Powered by Froala Editor