ଦୀପାବଳି ସୁଦ୍ଧା ୪ ମେଟ୍ରୋ ସହରବାସୀ ପାଇବେ ୫-ଜି ଜିଓ ସେବା
ଦୀପାବଳିରେ ଗ୍ରାହକଙ୍କୁ ଖୁସି ଖବର ଦେବାକୁ ଯାଉଛି ଜିଓ । ଦୀପାବଳି ସୁଦ୍ଧା ଦେଶର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ଅନ୍ୟ ପ୍ରମୁଖ ସହରରେ ଜିଓ ୫ଜି ହାଇ-ସ୍ପିଡ୍ ଟେଲିଫୋନ ସେବା ଆରମ୍ଭ ହେବ । ଏହା ପରେ ୨୦୨୩ ଡିସେମ୍ବର ସୁଦ୍ଧା ଦେଶର କୋଣ ଅନୁକୋଣରେ ପ୍ରତିଟି ଗ୍ରାମ ଓ ତହସିଲରେ ଜିଓ ୫-ଜି ସେବା ପହଞ୍ଚାଯିବ। ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆଜି ଏନେଇ ଘୋଷଣା କରିଛନ୍ତି ।
୫ଜି ନେଟୱର୍କ ନନ ଷ୍ଟାଣ୍ଡଆଲୋନ ୫ଜି ନେଟୱର୍କ ହେବ । ଏହା ଦେଶର ସବୁଠାରୁ ଆଡଭାନ୍ସ ୫ଜି ନେଟୱର୍କ ହେବ । ୫ଜି ବ୍ୟାଣ୍ଡ୍ରେ ହିଁ ୫ଜି ନେଟୱର୍କ ସେବା ମିଳିପାରିବ । ୫ଜି ସେବା ଯୋଗୁଁ ଗ୍ରାହକଙ୍କୁ ଉତ୍ତମ କଭରେଜ, କ୍ଷମତା, ଗୁଣବତ୍ତା ନେଟୱର୍କ ସେବା ମିଳିପାରିବ । ମେସିନରୁ ମେସିନ ମଧ୍ୟରେ ଯୋଗାଯୋଗ ସହଜ ହୋଇପାରିବ ବୋଲି କହିଛନ୍ତି ମୁକେଶ ଅମ୍ବାନୀ ।
ସେ କହିଛନ୍ତି, ଏକ ସମ୍ପୂର୍ଣ୍ଣ ଭାରତୀୟ ୫-ଜି ନେଟ୍ୱର୍କ ବିକଶିତ କରିବା ଲାଗି ଆମେ ମୋଟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିବଦ୍ଧ ଅଛୁ । ଭାରତ ଭଳି ଏକ ବିଶାଳ ଦେଶ ପାଇଁ ଜିଓ ପକ୍ଷରୁ ସର୍ବକାଳୀନ ଦ୍ରୁତ ଗତିର ଓ ମହତ୍ୱକାଂକ୍ଷୀ ୫ଜି ସେବା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।
ଶ୍ରୀ ଅମ୍ବାନି କହିଛନ୍ତି ଯେ ୫-ଜି ସେବା ଆରମ୍ଭ ହେବା ପରେ ଜିଓ ପକ୍ଷରୁ କନେକ୍ଟେଡ୍ ଇଟେଂଲିଜେନ୍ସ ଥିବା କୋଟି କୋଟି ସ୍ମାର୍ଟ ସେନ୍ସର ଶୁଭାରମ୍ଭ କରାଯିବ ଯାହା ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଓ ଚତୁର୍ଥ ଶିଳ୍ପ ବିପ୍ଳବକୁ ଆଗକୁ ବଢ଼ାଇବ। ଏହା ପ୍ରତ୍ୟକଙ୍କୁ, ପ୍ରତି ସ୍ଥାନକୁୁ ଓ ସବୁ କିଛିକୁ ଉଚ୍ଚ ମାନର ଓ ସବୁଠୁ ସୁଲଭ ଡାଟା ସହିତ ଯୋଡ଼ିବ ।
Powered by Froala Editor