ସ୍ତ୍ରୀ ବନ୍ଧ୍ୟାକରଣ କଲାନି ବୋଲି ୩ ବର୍ଷ ଓ ୮ ମାସର ପିଲାଙ୍କୁ ମାରିଦେଲା ସ୍ୱାମୀ
ବନ୍ଧ୍ୟାକରଣ କରିବାକୁ ଚାହୁଁନଥିଲେ ସ୍ତ୍ରୀ । କିନ୍ତୁ ଏଥିପାଇଁ ସ୍ୱାମୀ ବାରମ୍ବାର ତାଙ୍କୁ ବାଧ୍ୟ କରୁଥିଲେ । ଶେଷର ସ୍ୱାମୀ ନୃଶଂସ ପାଲଟିଯାଇ ଦୁଇ ପିଲାଙ୍କ ବେକ କାଟି ହତ୍ୟା କରିଛି । ପିଲାଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି । ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛି । ଏ ଘଟଣା ତେଲେଙ୍ଗାନାର ନଗରକ୍ରୁନୋଲ ଜିଲ୍ଲା ୟେଥମ୍ ଗାଁର ।
ଏସ୍ପି କେ ମନୋହର କହିଛନ୍ତି, “ଅଭିଯୁକ୍ତ ଓମକାର ଶ୍ରମିକ ଭାବେ କାମ କରନ୍ତି। ଓମକାର ନିଜର ଦୁଇ ପିଲାଙ୍କୁ ହତ୍ୟା କରିବାକୁ ଯାଉଥିବା ଆଶଙ୍କା କରି ତାଙ୍କ ପତ୍ନୀ ହିଁ କୋଦାଇର ପୁଲିସ୍ରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ଓମକାରଙ୍କ ଫୋନ ଲୋକେସନକୁ ଟ୍ରାକ୍ କରି ତାଙ୍କ ପାଖରେ ପହଞ୍ଚିଥିଲା। ହେଲେ ସେତେବେଳେକୁ ସେ ତାଙ୍କର ଦୁଇ ପିଲାଙ୍କୁ ହତ୍ୟା କରି ସାରିଥିଲେ। ଗୋଟିଏ ପିଲାର ବୟସ ୩ ବର୍ଷ ଓ ଅନ୍ୟଟି ୮ ମାସର ହୋଇଥିଲା। ଉଭୟଙ୍କୁ ତଣ୍ଟି କାଟି ହତ୍ୟା କରିବା ପରେ ଓମକାର ନିଜେ ମଧ୍ୟ ନିଜର ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ୍ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି।”
ଓମକାରଙ୍କ ପତ୍ନୀ ପୁଲିସ୍କୁ କହିଛନ୍ତି ଯେ ଉଭୟ ପିଲାଙ୍କ ସହ ବାଇକରେ ଯାଉଥିଲେ। ଏହି ସମୟରେ ଓମକାର ପତ୍ନୀଙ୍କୁ ବନ୍ଧ୍ୟାକରଣର ଅପରେସନ କରିବାକୁ କହିଥିଲେ। ହେଲେ ଏଥିରେ ସେ ରାଜି ହୋଇ ନଥିଲେ। ପତ୍ନୀ ରାଜି ନ ହେବାରୁ ଓମକାର ରାଗି ଯାଇଥିଲେ। ଶେଷରେ ଚଳନ୍ତା ଗାଡ଼ିରୁ ସେ ପତ୍ନୀଙ୍କୁ ଠେଲି ଦେଇଥିଲେ ଓ ଦୁଇ ପିଲାଙ୍କୁ ହତ୍ୟା କରିବେ ବୋଲି କହି ନିଜ ସାଙ୍ଗରେ ନେଇ ଯାଇଥିଲେ। ଏଥିରେ ଭୟଭୀତ ହୋଇ ପତ୍ନୀ ଜଣଙ୍କ ଓମକାରଙ୍କୁ ବାରମ୍ବାର ଫୋନ କରି ଚାଲିଥିଲେ। ସେ କୌଣସି ଉତ୍ତର ନ ଦେବାରୁ ମହିଳା ଜଣଙ୍କ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ।
Powered by Froala Editor