ଆଜି ରାଷ୍ଟ୍ରପତି ନିର୍ବଚାନ ଫଳାଫଳ , ଉତ୍ସବ ମୁଖର ଦ୍ରୌପଦୀ ମୁର୍ମୁଙ୍କ ଜନ୍ମିତ ଗାଁ ଓ ସହର
ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବଚାନ ଫଳାଫଳ। ପୂର୍ବାହ୍ଣ ୧୧ଟାରୁ ଗଣତି ଆରମ୍ଭ ହେବ। ଗଣତି ଶେଷ ହେବା ପରେ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ବିଜେଡି, ୱାଇଏସଆର କଂଗ୍ରେସ, ଅକାଳୀ ଦଳ, ଜେଏମ୍ଏମ୍, ଶିବସେନା ଭଳି ଦଳ ଗୁଡିକ ସମର୍ଥନ ଦେଇଥିବାରୁ ଫଳାଫଳ ତାଙ୍କ ସପକ୍ଷରେ ଯିବା ଆଶା କରାଯାଉଛି। ଏହା ହେଲେ ଦେଶବାସୀ ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ରୂପେ ରାଇସିନା ହିଲ୍ରେ ଦେଖିବ।
ମୟୂରଭଞ୍ଜ ମାଟିର ସୁଯୋଗ୍ୟ କନ୍ୟା ଦ୍ରୌପଦୀ ମୁର୍ମୁ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନିଶ୍ଚିତ। ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ସହର, ତାଙ୍କ ଜନ୍ମିତ ଗାଁ କୁସୁମୀ ବ୍ଲକର ଉପରବେଡା ଗାଁ ଓ ଶଶୁର ଘର ଗାଁ ପାହାଡପୁର ଉତ୍ସବ ମୁଖର ହୋଇପଡ଼ିଛି। ଏନେଇ ବିଜେପି, ସ୍ଥାନୀୟ ବାସିନ୍ଦା ଓ ଶ୍ରୀମତୀ ମୁର୍ମୁଙ୍କ ପରିବାର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏହି ସବୁ ସ୍ଥାନ ତଥା ଉପଖଣ୍ଡର ସମସ୍ତ ବ୍ଲକରେ ବିଜେପି ତରଫରୁ ସମସ୍ତଙ୍କୁ ସାମିଲ କରି ବିଜୟ ଉତ୍ସବ ଆନନ୍ଦଉଲ୍ଲାସର ପାଳନ କରିବା ପାଇଁ ବିଶେଷ ଆୟୋଜନ କରାଯାଇଛି। ଦଳର ସାଧାରଣ ସମ୍ପାଦକ ମନୋଜ କୁମାର ଦାସ, ବରିଷ୍ଠ ନେତା ବିକାଶ କୁମାର ମହାନ୍ତ, ଶିବକୁମାର ଅଗ୍ରୱାଲ, ଲୁଲୁ ସାମଲ, ଯଦୁମଣି ଗିରି, ଗୌରବ ଅଗ୍ରୱାଲ, କିଶୋର ରଜକ, ମଳୟ ଦାସ, ସୁନ୍ଦର ମହାନ୍ତ ପ୍ରମୁଖ ପ୍ରସ୍ତୁତିରେ ଲାଗିଛନ୍ତି। ଗୁରୁବାର ମଧ୍ୟାହ୍ନରେ ବିଜୟ ଉତ୍ସବ ପାଳନ ନେଇ ଦଳ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଆଦିବାସୀ ନୃତ୍ୟ ପରିବେଷଣ, ଆତସବାଜି ସଙ୍ଗକୁ ୨୦ହଜାରରୁ ଅଧିକ ଲଡୁ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି।
Powered by Froala Editor