ନୀଳଗିରିରେ ପୁଣି ଏକ ଦନ୍ତାର ମୃତ୍ୟୁ
ପୁଣି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଦନ୍ତାହାତୀର ସନ୍ଦେହ ଜନକ ମୃତ୍ୟୁ ହୋଇଛି। ନୀଳଗିରି ବନବିଭାଗ ଅଧୀନ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ କିଛିଦିନ ହେବ କୂଲଡିହା ଅଭ୍ୟାରଣ୍ୟରୁ କିଛି ହାତୀପଲ ଆସି ରହୁଛନ୍ତି। ରବିବାର ରାତିରେ ନରଣପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ହାତୀଗୁଡିକ ଉପଦ୍ରଵ କରିବାବେଳେ ବିଳମ୍ୱିତ ରାତିରେ ଏକ ଦନ୍ତା ବରାଗଡ଼ିଆ ଅଞ୍ଚଳରେ ବହୁ ଜୋରରେ ଚିତ୍କାର କରୁଥିଲା। ଭୟରେ ହାତୀ ପାଖକୁ ଯିବାପାଇଁ କେହି ସାହସ ଜୁଟାଇ ପାରିନଥିଲେ।
ସୋମବାର ସକାଳେ ବେଳକୁ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ହାତୀର ମୃତ ଦେହ ଦେଖିବାକୁ ମିଳିଛି। ହାତୀର ମୃତ୍ୟୁ କିପରି ହୋଇଛି ସେନେଇ ଏବେ ପ୍ରଶ୍ନ ଉଠିଛି। କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଦନ୍ତା ଆକ୍ରମଣ କରି ମାରିଥିଲା। ତେଣୁ ପ୍ରତିଶୋଧ ପରାୟଣ ହୋଇ ଅଞ୍ଚଳବାସୀ ହାତୀଟିକୁ ମାରିଦେଇଥିବା ଅନୁମାନ କରାଯାଉଛି। ହେଲେ ଗ୍ରାମବାସୀ ଘଟଣାକୁ ଅସ୍ବୀକାର କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ସମସ୍ତଙ୍କର ଅପେକ୍ଷା ରହିଛି। ଘଟଣା ସ୍ଥଳରେ ନୀଳଗିରି ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ବ କରିଥିବାବେଳେ ମୃତ୍ୟୁର କାରଣ ଖୋଜା ଚାଲିଛି।
Powered by Froala Editor