ପୁଣି ବିଜେବି କଲେଜରେ ରାଗିଂ ଅଭିଯୋଗ
ଭୁବନେଶ୍ୱର: ରୁଚିକା ମହାନ୍ତି ଆତ୍ମହତ୍ୟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ବିଜେବି କଲେଜକୁ ନେଇ ପୁଣି ଏକ ବଡ଼ ଖବର ଆସିଛି । ରାଗିଂକୁ ନେଇ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିବାବେଳେ ଏବେ ପୁଣି ଉକ୍ତ କଲେଜରେ ରାଗିଂର ଅଭିଯୋଗ ହୋଇଛି ।
ଏବେ ଛାତ୍ରୀ ନୁହେଁ ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । ଯୁକ୍ତ ୨ ଦ୍ୱିତୀୟ ବର୍ଷ କମର୍ସ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ସହପାଠୀମାନେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ବାଇକ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ଛାତ୍ର ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ରାଗିଂ ଅଭିଯୋଗ ନେଇ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ପ୍ରକାଶ ଯେ ୩ଜଣ ସିନିୟର ଛାତ୍ରୀଙ୍କ ରାଗିଂ ନେଇ ରୁଚିକା ଆତ୍ମହତ୍ୟା କରିଥିବାନେଇ ସେ ନିଜେ ସୁଇସାଇଟ ନୋଟରେ ଉଲ୍ଲେଖ କରିଥିଲେ । ଘଟଣାର ତଦନ୍ତ ଚାଲିଥିବାବେଳେ କିଏ ସେ ୩ ଛାତ୍ରୀ ତାହା ଏବେ ସୁଦ୍ଧା ବି ଜଣାପଡ଼ିନାହିଁ । ଏହା ଭିତରେ ପୁଣି କଲେଜରେ ରାଗିଂ ଅଭିଯୋଗ ଆସିବା କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ।
Powered by Froala Editor