ଏବେ ମୁଁ ସ୍ୱାଧୀନ ବିଧାୟକ,ଦୌପଦୀ ମୁର୍ମୁଙ୍କୁ ଭୋଟ ଦେବି:ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୮ ତାରିଖରେ ନିଜ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସିବେ । ମହାରାଷ୍ଟ୍ରରେ ବିଜେପି ସମର୍ଥିତ ସରକାର ଗଠନ ଓ ବିଭିନ୍ନ ରାଜନୀତିକ ଦଳ ନିଜଆଡ଼ୁ ସମର୍ଥନ ଘୋଷଣା କରିବା ପରେ ସଂଖ୍ୟାଗଣିତ ଦୃଷ୍ଟିରୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ଜିତିବା ନିଶ୍ଚିତ ଥିବାବେଳେ ତାଙ୍କୁ ସମର୍ଥନ ଦେବାକୁ ଯାଇ ଓଡ଼ିଶାରେ କ୍ଷମତାସୀନ ବିଜେଡି ଏବେ ଦ୍ରୌପଦୀଙ୍କ ନାଁରେ ରାଜ୍ୟର ଝିଅ ବୋଲି କହି ଭୋଟ୍ ଭିକ୍ଷା କରୁଛି ।
ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦୌପଦୀ ମୁର୍ମୁଙ୍କୁ ଭୋଟ ଦେବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଏବେ ମୁଁ ସ୍ୱାଧୀନ ବିଧାୟକ । ଓଡ଼ିଆ ଝିଅ ହୋଇଥିବାରୁ ମୁଁ ଦୌପଦୀ ମୁର୍ମୁଙ୍କୁ ଭୋଟ ଦେବି ବୋଲି କହିଛନ୍ତି । ବିବେକ ଅନୁଯାୟୀ ଦୌପଦୀ ମୁର୍ମୁଙ୍କୁ ଭୋଟ ଦେବି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
ସୂଚନା ଅନୁସାରେ, ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୮ତାରିଖରେ ଓଡ଼ିଶା ଆସିବେ । ଓଡ଼ିଶାର ଆଦିବାସୀ ମହିଳା ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ଏବେ ବିଭିନ୍ନ ରାଜନୀତିକ ଦଳ ନିଜର ସମର୍ଥନ ଘୋଷଣା କରିସାରିଥିବାରୁ ଦେଶର ସର୍ବୋଚ୍ଚ ପଦବୀ(ରାଷ୍ଟ୍ରପତି)ରେ ଜଣେ ଆଦିବାସୀଙ୍କୁ ଦେଖିବାକୁ ମିଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ପ୍ରଥମଥରୁ ଏନଡିଏ ସୁବିଧାଜନକ ସ୍ଥିତିରେ ଥିବାରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ କେବଳ ନାମକୁ ମାତ୍ର ହେବ । କିନ୍ତୁ ବିଜେପି ନେତ୍ରୀ ଦ୍ରୌପଦୀଙ୍କୁ ଭୋଟ୍ ଦେବା ପାଇଁ ଓଡ଼ିଶାରେ କ୍ଷମତାସୀନ ବିଜେଡି ଯେଉଁ ଭଳି ଆଚରଣ କରୁଛି ତାହା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଓଡ଼ିଶାରେ ବିରୋଧୀ ଦଳ ଭାବେ ବିଜେପି କାର୍ୟ୍ୟ କରୁଛି । ଆଉ ଦ୍ରୌପଦୀ ବିଜେପି ନେତ୍ରୀ । ତାଙ୍କ ସପକ୍ଷରେ ବିଭିନ୍ନ ଦଳକୁ ଭୋଟ୍ ଦେବା ପାଇଁ ପ୍ରବର୍ତ୍ତାଇବା କାମ ବିଜେପି କରିବା କଥା । କିନ୍ତୁ ଓଡ଼ିଶାରେ ବିଜେପି ବଦଳରେ ସେହି କାର୍ୟ୍ୟ ବିଜେଡି କରୁଛି ।
Powered by Froala Editor