ପିଟି ଉଷାଙ୍କ ସମେତ ୪ ଜଣ ରାଜ୍ୟସଭାକୁ ମନୋନୀତ

ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ୪ ଜଣ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ରାଜ୍ୟସଭାକୁ ମନୋନୀତ କରିଛନ୍ତି । ପ୍ରଖ୍ୟାତ ଆଥଲେଟ ପି.ଟି ଉଷା ଏବଂ ଗୀତିକାର ତଥା ଗାୟକ ଇଲିୟାରାଜାଙ୍କ ସମେତ ୪ ଜଣଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି। ସମାଜସେବୀ ବିରେନ୍ଦ୍ର ହେଗଡେ ଏବଂ ଫିଲ୍ମ ନିର୍ଦ୍ଦେଶକ ଭି. ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟ ସଭାକୁ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପିଟି ଉଷାଙ୍କୁ ଅଭିନନ୍ଦନ ଜଣାଇ ମୋଦୀ ଲେଖିଛନ୍ତି ଜଣେ ଆଥଲେଟ୍ ଭାବେ ସେ ସବୁ ଭାରତୀୟଙ୍କ ପାଇଁ ପ୍ରେରଣା । କ୍ରୀଡ଼ା କ୍ଷେତ୍ରରେ ତାଙ୍କର ସଫଳତା ଯେତିକି ପ୍ରସଂଶନୀୟ, ନୂଆ ଆଥଲେଟ ଗଢିବାରେ ତାଙ୍କର ଉଦ୍ୟମ ସେତିକି ପ୍ରସଂଶନୀୟ । ସେ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ।
ସେହିପରି ସଂଗୀତଜ୍ଞ ଇଲୈୟା ରାଜାଙ୍କୁ ଅଭିନନ୍ଦନ ଜଣାଇ ସେ ଲେଖିଛନ୍ତି ଯେ ନିଜର ସୃଜନଶୀଳତା ପାଇଁ ସେ ଅନେକ ପୀଢୀଙ୍କୁ ଅନୁପ୍ରାଣିତ ଓ ଆମୋଦିତ କରିଛନ୍ତି । ଗୋଟିଏ ସାଧାରଣ ପରିବାରରୁ ଆସି ସଫଳତାର ଶିଖର ଛୁଇଁଥିବା ତାଙ୍କର ଜୀବନ କାହାଣୀ ମଧ୍ୟ ବେଶ ପ୍ରେରଣାଦାୟୀ ।
ପ୍ରଧାନମନ୍ତ୍ରୀ ଭି.ବିଜୟେନ୍ଦ୍ର ପ୍ରସାଦଙ୍କ ପାଇଁ ଲେଖିଛନ୍ତି, ଭି ବିଜୟେନ୍ଦ୍ର ଗାରୁ ଦଶନ୍ଧି ଧରି ସୃଜନଶୀଳ ଜଗତ ସହିତ ଜଡିତ ଅଛନ୍ତି। ତାଙ୍କର ରଚନା ଭାରତର ଗୌରବମୟ ସଂସ୍କୃତିକୁ ପ୍ରତିଫଳିତ କରିଛି ଏବଂ ସର୍ବଭାରତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ରାଜ୍ୟ ସଭାକୁ ମନୋନୀତ ହୋଇଥିବାରୁ ଅଭିନନ୍ଦନ।
ବିରେନ୍ଦ୍ର ହେଗଡେଙ୍କ ପାଇଁ ପ୍ରଧାନମନ୍ତ୍ରୀ ଲେଖିଛନ୍ତି- ବିରେନ୍ଦ୍ର ହେଗଡେ ଜୀ ଉଲ୍ଲେଖନୀୟ ସମାଜ ସେବାରେ ଆଗରେ ଅଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ସେ ଅନେକ ମହତ୍ କାର୍ଯ୍ୟ କରିଛନ୍ତି। ସେ ନିଶ୍ଚିତ ଭାବରେ ସଂସଦୀୟ ପ୍ରକ୍ରିୟାକୁ ସମୃଦ୍ଧ କରିବେ।
Powered by Froala Editor