ଦେଶରେ ୧୭,୦୭୩ ନୂଆ ସଂକ୍ରମିତ, ୨୧ ମୃତ
ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଦିନେ ବଢିଲେ ଦିନେ କମୁଛି । କିଛି ଦିନ ହେବ ସଂକ୍ରମଣ ୧୫ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୧୭ ହଜାର ୦୭୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ ଅଧିକ । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ବଢିଛି । ଦିନକରେ ୨୧ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି ।
୧୫ ହଜାର ୨୦୮ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୪ ହଜାର ୪୨୦କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ ୨.୫୯%ରେ ପହଞ୍ଚିଛି ।ଏଯାବତ୍ ୪ କୋଟି ୨୭ ଲକ୍ଷ ୮୭ ହଜାର ୬୦୬ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ ୫ ଲକ୍ଷ ୨୫ ହଜାର ୨୦ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୭ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷରୁ ଅଧିକ ଲୋକେ ଟିକା ନେଇଛନ୍ତି ।
Powered by Froala Editor