୧୦ ଟଙ୍କିଆ କଏନ ଦେଇ ଯୁବକ କିଣିଲେ ୬ ଲକ୍ଷ ଟଙ୍କାର କାର୍
ଏ କଥା ସତ ଯେ, ଗୋଟିଏ ଗୋଟିଏ ଟଙ୍କା ଯୋଡିଲେ ତାହା ଲକ୍ଷ ଲକ୍ଷରେ ପରିଣତ ହୁଏ । ତାହା ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁ ଧର୍ମପୁରୀର ଭେତ୍ରିଭେଲ। ତାଙ୍କ ଘର ଅରୁର ଅଞ୍ଚଳରେ। ସେ ଖାଲି ୧୦ ଟଙ୍କିଆ କଏନ ଦେଇ କିଣିଛନ୍ତି ୬ ଲକ୍ଷର କାର । ଧର୍ମପୁରୀ ଠାରେ ଥିବା ଗୋଟିଏ ପ୍ରସିଦ୍ଧ ଗାଡ଼ି ଶୋ’ ରୁମରୁ ୬ ଲକ୍ଷ ଟଙ୍କାର ୧୦ ଟଙ୍କିଆ କଏନ ଦେଇ କାର କିଣିଛନ୍ତି।
ଭେତ୍ରିଭେଲ କହିଛନ୍ତି ଯେ, ସେ ଏକ ପ୍ରାଥମିକ ସ୍କୁଲ ଓ ଗୋଟିଏ ପାରମ୍ପରିକ ଔଷଧ କେନ୍ଦ୍ରରେ କାମ କରନ୍ତି। ତାଙ୍କ ମାଙ୍କର ଗୋଟିଏ ଦୋକାନ ରହିଛି। ହେଲେ ମା’ଙ୍କ ଦୋକାନକୁ ଆସୁଥିବା ଅଧିକାଂଶ ଲୋକ ୧୦ ଟଙ୍କିଆ କଏନ ନେବାକୁ ମନା କରି ଦିଅନ୍ତି। ଏଥିଯୋଗୁ ଅନେକ ସମୟରେ ଗ୍ରାହକଙ୍କ ସହ ମା’ଙ୍କର ଯୁକ୍ତିତର୍କ ହୋଇଥାଏ।
ଗ୍ରାହକମାନେ ୧୦ ଟଙ୍କିଆ କଏନ ନେବାକୁ ମନା କରୁଥିବାରୁ ଭେତ୍ରିଭେଲଙ୍କ ଘରେ ବିପୁଳ ପରିମାଣର ୧୦ ଟଙ୍କିଆ କଏନ ଜମା ହୋଇ ରହୁଥିଲା। ଏହି କଏନକୁ ବଦଳାଇବା ପାଇଁ ଭେତ୍ରିଭେଲ ବ୍ୟାଙ୍କକୁ ମଧ୍ୟ ଯାଇଥିଲେ। କିନ୍ତୁ ବ୍ୟାଙ୍କର ଅଧିକାରୀମାନେ ଏତେ କଏନ ଗଣିବାକୁ ସମୟ ନଥିବା କହି ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଭେତ୍ରିଭେଲ କହିଛନ୍ତି, “ଛୋଟ ପିଲାମାନେ ୧୦ ଟଙ୍କିଆ କଏନ ଧରି ଖେଳିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। ଆରବିଆଇ ୧୦ ଟଙ୍କିଆ କଏନକୁ ଅଚଳ କରିନାହିଁ। ତଥାପି ବ୍ୟାଙ୍କଗୁଡ଼ିକ କଏନକୁ ଗ୍ରହଣ କରୁନାହାନ୍ତି।
ଏଥିରେ ରାଗି ଯାଇ ଓ ସମସ୍ତଙ୍କୁ ୧୦ ଟଙ୍କିଆ କଏନ ସମ୍ପର୍କରେ ସଚେତନ କରିବା ପାଇଁ ସେ ଅଭିନବ ଯୋଜନା କରିଥିଲେ। ସେ ଗୋଟିଏ ମାସ ଧରି କେବଳ ୧୦ ଟଙ୍କିଆ କଏନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ମାସକ ପରେ ତାଙ୍କ ପାଖରେ ୬ ଲକ୍ଷ ଟଙ୍କାର କେବଳ ୧୦ ଟଙ୍କିଆ କଏନ ଜମା ହୋଇଥିଲା। ଏହାପରେ ଧର୍ମପୁରୀରେ ଥିବା ଗାଡ଼ି ଶୋ’ ରୁମରେ ପରିବାର ଲୋକଙ୍କୁ ଧରି ପହଞ୍ଚିଥିଲେ। ଗାଡ଼ି ଶୋ’ ରୁମର କର୍ମଚାରୀ ମାନେ ପ୍ରଥମେ ଏତେ ଗୁଡ଼ିଏ ୧୦ ଟଙ୍କିଆ କଏନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିସହ ଟଙ୍କା ଗ୍ରହଣ କରିବେ ନାହିଁ ବୋଲି ମନା କରିଥିଲେ। କିନ୍ତୁ ଭେତ୍ରିଭେଲଙ୍କ ଠାରୁ ସବୁ କଥା ଶୁଣିବା ପରେ ସେମାନେ କାର ଦେବାକୁ ରାଜି ହୋଇଥିଲେ।
Powered by Froala Editor