ଶ୍ରୀଲଙ୍କାରେ ସ୍ଥିତି ଏବେ ଅସମ୍ଭାଳ: ଆସନ୍ତାକାଲି ଠାରୁ ଏକ ସପ୍ତାହ ଯାଏଁ ସରକାରୀ କାର୍ୟ୍ୟାଳୟ ବନ୍ଦ
ନୂଆଦିଲ୍ଲୀ : ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ଶ୍ରୀଲଙ୍କାରେ ଏବେ ହାହାକାର । ଅସ୍ତବ୍ୟସ୍ତ ହୋଇଗଲାଣି ଜନଜୀବନ । ଲୋକଙ୍କ ମୌଳିକ ସୁବିଧା ତ ଦୂରର କଥା ଦୁଇ ଓଳା ଦୁଇମୁଠା ଖାଇବା ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡୁଛି । ଦେଶର ଆର୍ଥିକ ମେରୁଦଣ୍ଡ ଭୁଶୁଡି ପଡିବା ଯୋଗୁଁ ଶ୍ରୀଲଙ୍କାରେ ସ୍ଥିତି ଏବେ ଅସମ୍ଭାଳ । ଏହାକୁ ଦୃଷ୍ଟିରେ ରଖି ବଡ ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର ।
ଆସନ୍ତାକାଲି ଅର୍ଥାତ ସୋମବାର ଠାରୁ ଏକ ସପ୍ତାହ ଯାଏଁ ସରକାରୀ କାର୍ୟ୍ୟାଳୟଗୁଡିକୁ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର । କେବଳ ସରକାରୀ କାର୍ୟ୍ୟାଳୟ ନୁହେଁ କଲମ୍ବୋରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ (ସରକାରୀ ମାନ୍ୟତା ପ୍ରାପ୍ତ) ସ୍କୁଲଗୁଡିକୁ ବନ୍ଦ କରି ଅନଲାଇନ୍ କ୍ଲାସ କରିବା ପାଇଁ କୁହାଯାଇଛି । ଦେଶରେ ଏବେ ଇନ୍ଧନ ସଙ୍କଟ ଉତ୍କଟ ହେଉଛି । ଯେଉଁଥି ପାଇଁ କି ଏଭଳି ନିଷ୍ପତ୍ତି ନିଆଯାଇଥିବା ସରକାରୀ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଜାରିକରାଯାଇଛି ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଏବେ ଗଚ୍ଛିତ ଇନ୍ଧନ ମାତ୍ରା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି । ଅନ୍ୟପଟେ ଋଶ ଭାର ଅଧିକ ଥିବାରୁ ଅନ୍ୟଦେଶଗୁଡିକ ତେଲ ରପ୍ତାନୀ କରିବା ପାଇଁ ମନାକରିଦେଇଛନ୍ତି । ବକେୟା ଅର୍ଥ ମଧ୍ୟ ଦେବାକୁ ଅସମର୍ଥ ଶ୍ରୀଲଙ୍କା । ଯାହା ଫଳରେ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡିପଡିଛି । ଯେଉଁଥି ପାଇଁକି ବିଭିନ୍ନ ସରକାରୀ କାର୍ୟ୍ୟାଳୟ ତଥା ସ୍କୁଲ ଗୁଡିକୁ ବନ୍ଦ କରିବାକୁ ସରକାର ବାଧ୍ୟ ହେଉଛନ୍ତି ।
Powered by Froala Editor