ପିଲାଦିନର ଗୁରୁଜୀଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ପିଲାଦିନର ଶିକ୍ଷକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ମୋଦି ଆଜି ଗୁଜୁରାଟର ନଭସାରିରେ ତାଙ୍କ ଶିକ୍ଷକଙ୍କୁ ଭେଟିଥିଲେ । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଶିକ୍ଷକଙ୍କୁ ପ୍ରଣାମ କରିଥିଲେ, ସେତେବେଳେ ଶିକ୍ଷକ ତାଙ୍କ ମୁଣ୍ଡରେ ହାତ ଦେଇ ତାଙ୍କୁ ଆଶୀର୍ବାଦ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଆଜି ଗୁଜରାଟର ନଭସାରୀରେ ‘ଗୁଜରାଟ ଗୌରବ ଅଭିଯାନ’ରେ ଯୋଗ ଦେଇଥିଲେ। ଏହି ଅବସରର ସେ, ୩,୦୫୦ କୋଟି ଟଙ୍କା ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ତପି, ନଭସାରୀ ଏବଂ ସୁରଟ ଜିଲ୍ଲା ପାଇଁ ୯୬୧ କୋଟି ଟଙ୍କା ମୂଲ୍ୟର ୧୩ ଟି ଜଳ ଯୋଗାଣ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିଥିଲେ। ସେ ପ୍ରାୟ ୫୪୨କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ନଭସାରୀ ଜିଲ୍ଲାର ଏକ ମେଡିକାଲ କଲେଜର ଭୂମି ପୂଜନ କରିଥିଲେ, ଯାହା ଏହି ଅଞ୍ଚଳର ଲୋକଙ୍କୁ ସୁଲଭ ତଥା ଉନ୍ନତ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ।
ଏହି ଅବସରରେ ମୋଦି କହିଛନ୍ତି ଯେ ମୁଁ ଆଜି ଗର୍ବିତ ଅନୁଭବ କରୁଛି ଯେ ଗୁଜୁରାଟ ଛାଡିବା ପରେ ଯେଉଁମାନେ ଗୁଜୁରାଟର ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଆଜି ଭୁପେନ୍ଦ୍ର ଭାଇ ଏବଂ ସିଆର ପାଟିଲଙ୍କ ଯୋଡି ଯେଉଁ ଉତ୍ସାହର ସହକାରେ ନୂଆ ବିଶ୍ୱାସ ଜାଗ୍ରତ କରିଛନ୍ତି ଏହାର ଫଳସ୍ୱରୂପ ମୋ ସାମ୍ନାରେ ୫ ଲକ୍ଷରୁ ଅଧିକ ଲୋକ ଅଛନ୍ତି ଓ ଏତେ ବିଶାଳ ଜନସମୁଦ୍ର ପାଲଟିଛି । ମୁଁ ଗର୍ବିତ ଅନୁଭବ କରେ ଯେ ମୁଁ ମୋ ସମୟ ଅବଧିରେ ଯାହା କରିପାରିଲି ନାହିଁ, ଆଜି ମୋର ବନ୍ଧୁମାନେ କରିବାକୁ ସକ୍ଷମ ଅଛନ୍ତି ।
Powered by Froala Editor