ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ : ଜଳିଲା ବିଜେପି ଅଫିସ୍, ଜାମା ମସଜିଦ୍ ଆଗରେ ବିକ୍ଷୋଭ
ପ୍ରଫେଟ୍ ମହମ୍ମଦଙ୍କ ଉପରେ ଦିଆଯାଇଥିବା ବିବାଦୀୟ ବୟାନରେ ଅପରାଧିମାନେ ଦେଶବ୍ୟାପୀ ହିଂସା ଘଟାଇଛନ୍ତି। ଏହି ବିବାଦ ଅନ୍ତର୍ଜାତୀୟସ୍ତରରେ ପହଞ୍ଚିଥିବା ବେଳେ ଦେଶରେ ଆନ୍ଦୋଳନ ମଧ୍ୟ ଜୋର ଧରିଛି। ବିଶେଷ କରି ରାଜଧାନୀ ଦିଲ୍ଲୀ, କୋଲକାତା ଓ ୟୁପିରେ ବ୍ୟାପକ ଆନ୍ଦୋଳନ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ବିଜେପି ଅଫିସ୍ରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ହାଉଡ଼ାର ଉଲବେରିଆ ଥିବ ବିଜେପି ଅଫିସ୍ରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଥିବା ଅଭିଯୋଗ ଆସିଛି। ବିଜେପି ନେତା ଅଫିସ୍ ଜଳୁଥିବା ଭିଡିଓ ଟ୍ୱିଟ୍ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଶୁକ୍ରବାର ଦିଲ୍ଲୀର ଜାମା ମସଜିଦ୍ ସମ୍ମୁଖରେ ଆନ୍ଦୋଳନକାରୀମାନେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ଗିରଫ ଦାବି କରି ଆନ୍ଦୋଳନକାରୀମାନେ ପ୍ରବଳ ହୋହଲ୍ଲା କରିଥିଲେ। ନୂପୁର ଶର୍ମା ଓ ବିଜେପିରୁ ବହିଷ୍କୃତ ହୋଇଥିବା ନବୀନ ଜିନ୍ଦଲଙ୍କ ବିରୋଧରେ ଆନ୍ଦୋଳନକାରୀ ବିଭିନ୍ନ ସ୍ଳୋଗାନ ଦେଇଥିଲେ। ଆନ୍ଦୋଳନକୁ ପ୍ରତିହତ କରିବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା। ସ୍ଥିତି ଜଟିଳ ହେବାରୁ ପୁଲିସ ଲୁହବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଥିଲା।
ସେପଟେ ଉତ୍ତର ପ୍ରଦେଶ, ଝାଡଖଣ୍ଡ, ଜାମ୍ମୁ-କାଶ୍ମୀର ଆଜି ରାଜ୍ୟରେ ମଧ୍ୟ ହିଂସା ଦେଖିବାକୁ ମିଳିଛି। ଏହି ମାମଲାରେ କଠୋର ହୋଇଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଜି ଏହି ମାମଲାରେ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ବୈଠକରେ ଉପଦ୍ରବୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
Powered by Froala Editor