ଅଗ୍ନିକାଣ୍ଡରେ ଜଳିଗଲା ଅନେକ କାର୍, ଇ-ରିକ୍ସା
ନୂଆଦିଲ୍ଲୀ: ଦିଲ୍ଲୀ ଜାମିଆ ନଗରସ୍ଥିତ ଇଲେକ୍ଟ୍ରିକ୍ ମୋଟୋର ପାର୍କିଂରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଅନେକ କାର୍ ଓ ଇ-ରିକ୍ସା ପୋଡ଼ି ଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି । ଏନେଇ ତଦନ୍ତ ଜାରି ରହିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବୁଧବାର ଭୋର ପ୍ରାୟ ୫ଟା ବେଳେ ଜାମିଆ ନଗରସ୍ଥିତ ଇଲେକ୍ଟ୍ରିକ୍ ମୋଟୋର ପାର୍କିଂରେ ଅଗ୍ନିକାଣ୍ଡ ଘଟିଥିବା ଖବର ଆସିଥିଲା । ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ । ସେତେବେଳକୁ ନିଆଁ ବ୍ୟାପୀ ଯାଇଥିଲା । ଗୋଟେ ପରେ ଗୋଟେ ୧୧ଟି ଦମକଳ ଗାଡ଼ି ପହଞ୍ଚି ଅଗ୍ନିକାଣ୍ଡକୁ ଆୟତ କରିଥିଲେ । ତେବେ ସେତେବେଳକୁ ସେଠାରେ ଥିବା ୧୦ଟି କାର୍, ଗୋଟିଏ ବାଇକ୍, ୨ଟି ସ୍କୁଟି, ୩୦ଟି ନୂଆ ଓ ୫୦ଟି ପୁରୁଣା ଇ-ରିକ୍ସା ପୋଡ଼ି ପାଉଁଶ ହୋଇଯାଇଥିଲା । ସୌଭାଗ୍ୟବଶତ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ।
ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ କିଛି ଦିନ ହେଲା ଦିଲ୍ଲୀରେ କ୍ରମାଗତ ଭାବେ ଅଗ୍ନିକାଣ୍ଡ ଘଟୁଛି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନିଆଁ ଲାଗୁଥିବା ଖବର ଆସୁଛି । ଏହାକୁ ନିୟନ୍ତ୍ରଣ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
Powered by Froala Editor