ଜଙ୍ଗଲରେ ନିଆଁ, ବୈଷ୍ଣୋଦେବୀଙ୍କ ପୀଠକୁ ଯାଇପାରିଲେନି ଶ୍ରଦ୍ଧାଳୁ

ତ୍ରିକୂଟ ପର୍ବତରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବାରୁ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ମାତା ବୈଷ୍ଣୋଦେବୀ ପୀଠକୁ ଶ୍ରଦ୍ଧାଳୁଙ୍କ ଆଗମନ ପ୍ରଭାବିତ ହୋଇଛି । ଏହି ନିଆଁ ଲାଗିବା ପରେ ନୂଆ ବୈଷ୍ଣୋଦେବୀ ରାସ୍ତାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । ତେବେ ପୁରୁଣା ରାସ୍ତାରେ ପୂର୍ବପରି ଶ୍ରଦ୍ଧାଳୁଙ୍କ ଯାତ୍ରା ଜାରି ରହିଛି ।
ବନ ରକ୍ଷକ କହିଛନ୍ତି ଗତ ତିନି ଦିନ ଧରି ଜଙ୍ଗଲରେ ନିଆଁ ଲାଗିଛି। ସେନା ସହିତ ମିଶି ନିଆଁକୁ ନିୟନ୍ତ୍ରଣ କରାଯାଉଛି। କିଛି ମାତ୍ରାରେ ନିଆଁକୁ କାବୁ କରାଯାଇଥିଲା ହେଲେ ଜୋରରେ ପବନ ବହିବା କାରଣରୁ ନିଆଁ ଚାରିଆଡେ ବ୍ୟାପି ଯାଇଛି। ଏହା ଆଖପାଖ ଜଙ୍ଗଲକୁ ବ୍ୟାପିବାରେ ଲାଗିଛି।
ନିଆଁ ଲାଗିବା ପରେ ନୂଆ ରୁଟରେ ଚାଲୁଥିବା ବ୍ୟାଟେରୀ ଚାଳିତ ଗାଡ଼ିଗୁଡ଼ିକର ଚଳାଚଳକୁ ବନ୍ଦ କରିଦିଆଯାଇଛି । ଅନ୍ୟପକ୍ଷରେ ସୋମବାରଦିନ ହେଲିକାପ୍ଟର ସେବାକୁ ବନ୍ଦ କରିଦିଆଯାଇଥିଲା । ଧୂଆଁ ଯୋଗୁଁ ଠିକ ଭାବେ ଦେଖାଯାଉନଥିବାରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ମଙ୍ଗଳବାରଦିନ ସ୍ଥିତିରେ ଉନ୍ନତି ଆସିବା ପରେ ଏହି ସେବାକୁ ପୁଣି ଚାଲୁ କରାଯାଇଛି ।
Powered by Froala Editor