ଗଣମାଧ୍ୟମରେ ଦଳ ଓ ନେତାଙ୍କ ବିରୋଧରେ କହିବା ଓଡ଼ିଶା କଂଗ୍ରେସ ନେତାଙ୍କର ଏକ ବ୍ୟାଧି : ରାହୁଲ ଗାନ୍ଧୀ
ଭୁବନେଶ୍ୱର : ପିସିସି ସଭାପତି ପରିବର୍ତ୍ତନ ପାଇଁ ଏବେ କଂଗ୍ରେସରେ ଧାଁ ଧଉଡ଼ ଚାଲିଥିବାବେଳେ ରାହୁଲ ଗାନ୍ଧୀ କଡ଼ା ଟିପ୍ପଣୀ ଦେଇଛନ୍ତି । ଗଣମାଧ୍ୟମରେ ଦଳ ଓ ନେତାଙ୍କ ବିରୋଧରେ କହିବା ଓଡ଼ିଶା କଂଗ୍ରେସ ନେତାମାନଙ୍କର ଏକ ବ୍ୟାଧି ବୋଲି ସେ କହିଛନ୍ତି ।
ଗତକାଲି ସଂଧ୍ୟାରେ ରାହୁଲ ଓଡ଼ିଶାର ନେତାମାନଙ୍କୁ ଭେଟିଥିଲେ । ନେତାମାନଙ୍କ ସହ ୱାନ ଟୁ ୱାନ ଆଲୋଚନାର କାର୍ଯ୍ୟକ୍ରମ ରହିଥିଲା । ତେବେ ରାହୁଲ ଗାନ୍ଧୀ ଓଡ଼ିଶାର ନେତାମାନଙ୍କ ଉପରେ ଏତେ କ୍ଷୁବ୍ଧ ଥିଲେଯେ, ବିଶେଷ ଆଲୋଚନା କରିବାକୁ ପସନ୍ଦ କରିନଥିଲେ । ଦଳର ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ଡାକି ମାତ୍ର ମିନିଟିଏ ଦିମିନିଟ କଥା ହୋଇଥିଲେ । ଏପରିକି ବସିବାକୁ ବି କହିନଥିଲେ । ଠିଆ ଠିଆ ସେମାନଙ୍କ ସହ ଆଲୋଚନା କରିଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଠିଆ କରି ପଦେ ଅଧେ କଥା ହୋଇଥିଲେ । କେବଳ ନରସିଂହ ମିଶ୍ରଙ୍କ ସହ ସେ ବସି ଦଶ ପନ୍ଦର ମିନିଟ ଆଲୋଚନା କରିଥିବା ଜାଣିବାକୁ ମିଳିଛି । ନରସିଂହ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିବାରୁ ବୋଧହୁଏ ତାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା କୁହାଯାଉଛି ।
ଓଡ଼ିଶା କଂଗ୍ରେସ ନେତାଙ୍କ ଉପରେ ସେ ପ୍ରବଳ ମାତ୍ରାରେ ଫିଡ଼ିକି ଯାଇଥିଲେ । କୌଣସି ନେତାଙ୍କ ମୁହଁକୁ ଚାହିଁ ସେ ଭଲରେ କଥା ହୋଇନଥିଲେ । ଫଟୋ ସୁଟ ବେଳେ ବି ରାହୁଲ ଅସନ୍ତୋଷ ଝାଡ଼ିଥିଲେ । ସିଧାସିଧା କହିଥିଲେ, ଦଳ ସମ୍ପର୍କରେ ମିଡିଆରେ କହିବା ଓଡ଼ିଶା କଂଗ୍ରେସ ନେତାମାନଙ୍କର ଏକ ବ୍ୟାଧି ହୋଇଗଲାଣି । ଆଗକୁ ଏଥିପ୍ରତି ସତର୍କ ରୁହ । ସେ ଯେତେବଡ଼ ନେତା ହେଲେବି ଏଣିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ।
Powered by Froala Editor