ଟ୍ରେନକୁ ଅପେକ୍ଷା କରିଥିବା ଗର୍ଭବତୀଙ୍କୁ ଅପହରଣ ପରେ ଗଣବଳାତ୍କାର
ହାଇଦ୍ରାବାଦ: ସ୍ୱାମୀ ଓ ୩ପିଲାଙ୍କ ସହ ରାତିରେ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଅପହରଣ କରିନିଆଯାଇ ଗଣବଳାତ୍କାର କରାଯାଇଛି । ଆନ୍ଧ୍ରପ୍ରଦେଶର ବପତଲା ଜିଲ୍ଲାରେ ଶନିବାର-ରବିବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁସାରେ ପୀଡ଼ିତ ପରିବାର ପ୍ରକାଶମ ଜିଲ୍ଲାର । ସେମାନେ ଗୁଣ୍ଟୁର ଜିଲ୍ଲାରେ ରହି କାମଧନ୍ଦା କରୁଥିଲେ । ତେବେ ଶନିବାର ରାତିରେ ସେମାନେ କାମଧନ୍ଦା ଅନ୍ୱେଷଣରେ କ୍ରିଷ୍ଣା ଜିଲ୍ଲା ନାଗୟଲଙ୍କାକୁ ଯିବା ଲାଗି ରିପାଲେ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ । ସେମାନେ ଷ୍ଟେସନର ଏକ ବେଞ୍ଚରେ ଶୋଇଥିଲା ବେଳେ ୩ଜଣ ମଦ୍ୟପ ଯୁବକ ସେଠାରେ ପହଞ୍ଚିଥିଲେ । ସେମାନେ ପୀଡିତାଙ୍କ ସ୍ୱାମୀଙ୍କୁ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ । ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ବଳପୂର୍ବକ ଅପହରଣ କରିନେଇଥିଲେ । ଷ୍ଟେସନ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ନେଇ ମହିଳାଙ୍କୁ ବଳାତ୍କାର କରିଥିଲେ । ପୀଡ଼ିତାଙ୍କ ସ୍ୱାମୀ ସହାୟତା କରିବା ଲାଗି ପାଟି କରିଥିଲେ । ଏପରିକି ସେ ବହୁ କଷ୍ଟରେ ଷ୍ଟେସନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପୁଲିସ କିମ୍ବା ରେଳ କର୍ମଚାରୀଙ୍କୁ ପାଇନଥିଲେ । ପରେ ଖୋଜାଖୋଜି କରି ଷ୍ଟେସନଠାରୁ କିଛି ଦୂରରେ ଏକ ବୁଦାମୂଳେ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ନିକଟସ୍ଥ ଥାନାରେ ସେ ଅଭିଯୋଗ କରିଥିଲେ ।
ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ସେଠାରୁ ଦୌଡ଼ି ପଳାଇଥିଲେ । ପୁଲିସ ସେଠାରୁ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ତୁରନ୍ତ ପଦକ୍ଷେପ ସ୍ୱରୂପ ପୁଲିସ ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଭିତରେ ଜଣେ ନାବାଳକ ଥିବା ପୁଲିସ ସୂଚନା ଦେଇଛି ।
Powered by Froala Editor