ଜୀବନ ସାରା ୱାର୍କ ଫ୍ରମ୍ ହୋମ୍ ପାଇଁ ଏହି କମ୍ପାନୀ ଦେଲା ପ୍ରସ୍ତାବ: କଟିବନି ଦରମା, ମିଳିବ ସବୁ ସୁବିଧା
ୱାଶିଂଟନ୍: କରୋନା ମହାମାରୀ ପାଇଁ ବିଶ୍ୱର ଅଧିକାଂଶ କମ୍ପାନୀ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଲାଗୁ କରିଥିଲେ । ଦୀର୍ଘ ଦୁଇ ବର୍ଷ ଧରି କର୍ମଚାରୀମାନେ ଘରେ ରହି କାମ କରି ଆସୁଛନ୍ତି । ଏବେ ପରିସ୍ଥିତିରେ ସୁଧାର ଆସିଛି । କିଛି କମ୍ପାନୀ ନିୟମରେ ପରିବର୍ତ୍ତନ କଲେଣି । କର୍ମଚାରୀମାନଙ୍କୁ ଘରେ କାମ କରିବା ବଦଳରେ ଅଫିସ୍ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ କିଛି କର୍ମଚାରୀ ଚିନ୍ତାରେ ପଡ଼ିଛନ୍ତି । ବାଧ୍ୟ ହୋଇ ସେମାନେ ଅଫିସ୍ ଯାଉଛନ୍ତି । ହେଲେ ବର୍ତ୍ତମାନ ବି ସେମାନଙ୍କ ମନରୁ ଯାଇନି ଭୂତାଣୁ ଡର । ଏଥିପାଇଁ ସେମାନେ ଚିନ୍ତିତ ଅଛନ୍ତି । ହେଲେ ଏଭଳି ପରିସ୍ଥିତିରେ ଆମେରିକାର ଏକ କମ୍ପାନୀ ଜୀବନ ସାରା ଘରେ ରହି କାମ କରିବାକୁ ପ୍ରସ୍ତାବ ଦେଇଛି । ଏହି କମ୍ପାନୀ ନାମ ହେଉଛି Airbnb Inc । କେବଳ ସେତିକି ନୁହେଁ କମ୍ପାନୀ ମଧ୍ୟ ସ୍ପଷ୍ଟ କରିଛି ଯେ ଯେଉଁମାନେ ୱାର୍କ ଫ୍ରମ୍ ହୋମ୍ କରିବେ ସେମାନଙ୍କ ଦରମା କଟା ଯିବନି । ସବୁ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏହି ଘୋଷଣା ପରେ ଏବେ କର୍ମଚାରୀଙ୍କ ମଧ୍ୟରେ ଖୁସିର ଏହରି ଖେଳି ଯାଇଛି ।
ଏହା ଏକ ଆମେରିକୀୟ କମ୍ପାନୀ । ଏହି କମ୍ପାନୀ ଲଜିଂ, ହୋମଷ୍ଟେ ଏବଂ ପର୍ଯ୍ୟଟନ କ୍ଷେତ୍ର ପାଇଁ କାମ କରୁଛି । ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଭାରତ ସହ ବିଶ୍ୱର ୧୭୦ଟି ଦେଶର ଲୋକଙ୍କ ପାଇଁ ରହିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆପଣମାନେ ବିଶ୍ୱର ଯେ କୌଣସି ସ୍ଥାନରେ ରହି କାମ କରିପାରିବେ । ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ । ଯଦି ଚାହିଁବେ ତେବେ ଆପଣ ଯେକୌଣସି ଦେଶର ଶସ୍ତା ସହରରେ ମଧ୍ୟ ରହି କାମକରିପାରିବେ । କମ୍ପାନୀର ସିଇଓ ତଥା କୋଫାଉଣ୍ଡର ବ୍ରାଏନ୍ ଚେସ୍କି କର୍ମଚାରୀଙ୍କ ନିକଟକୁ ପଠାଇଥିବା ଏକ ଇ-ମେଲ୍ରେ ଏହି ନୂଆ ପଲିସି ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଏହାଦ୍ୱାରା କମ୍ପାନୀ ପ୍ରତିଭାବାନ ଲୋକଙ୍କୁ ନିଯୁକ୍ତି ଦେବା ସହ କାମ କରୁଥିବା ଉଦ୍ୟମୀଙ୍କୁ ହରାଇବ ନାହିଁ ।
Airbnb Inc କମ୍ପାନୀରେ ପ୍ରାୟ ୬ ହଜାର କର୍ମଚାରୀ କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ ୩ ହଜାର କର୍ମଚାରୀ ଆମେରିକାର ଥିବାବେଳେ ଅନ୍ୟମାନେ ଅନ୍ୟ ଦେଶର ରହିଛନ୍ତି । ୨୦୨୧ ମସିହାରେ କମ୍ପାନୀର ଲାଭ ୨୫ ପ୍ରତିଶତ ବୃଦ୍ଧି ଘଟିଥିଲା ।
Powered by Froala Editor