ଏମ୍ସର ସଫଳତା : ଯୋଡି ହେଲା ସମ୍ପୂର୍ଣ୍ଣ ଛିଣ୍ଡି ଯାଇଥିବା ଆଙ୍ଗୁଳି
ପୁଣି ସଫଳତାର ଏକ ପାହାଚ ଚଢ଼ିଛି ଭୁବନେଶ୍ୱର ଏମ୍ସ । ଏଠାରେ ସମ୍ପୂର୍ଣ୍ଣ ଛିଣ୍ଡି ଯାଇଥିବା ଏକ ଆଙ୍ଗୁଳିକୁ ଯୋଡାଯାଇଛି । ବର୍ଣ୍ଣ୍ସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଦଳ ଦ୍ବାରା ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ଏହି ପ୍ରକ୍ରିୟା ସଫଳ ହୋଇଛି। ପ୍ରଥମ ଥର ପାଇଁ ଏମ୍ସ ଭୁବନେଶ୍ୱରରେ ଏପରି ସଫଳ ଆଙ୍ଗୁଠି ପୁନଃପ୍ରତିରୋପଣ ହୋଇଛି ।ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ସହିତ ୧୦ ଦିନ ଏମ୍ସରେ ରହିବା ପରେ ଘରକୁ ଫେରିଛନ୍ତି। ପୁନଃଯୋଡ଼ା ଯାଇଥିବା ବାମ ବୁଢ଼ା ଆଙ୍ଗୁଠିରେ ସ୍ବାଭାବିକ ରକ୍ତ ସଞ୍ଚାଳନ ହୋଇଛି, ଯାହାକି ଯୋଡ଼ିବା ପ୍ରକ୍ରିୟା ସଫଳ ହୋଇଥିବା ପ୍ରକାଶ କରିଛନ୍ତି ଡ. ଗିରି।
ଖୋର୍ଦ୍ଧା ଜିଲ୍ଲାର ରବୀନ୍ଦ୍ର ମୁଦୁଲି (୫୪) ନାମକ ଜଣେ ବ୍ୟକ୍ତି ଗତ ମାସ ୨୦ ତାରିଖରେ ରାତି ପ୍ରାୟ ୨ ଟାରେ ଏମ୍ସ ଭୁବନେଶ୍ୱର ଜରୁରୀ ବିଭାଗକୁ ଆସିଥିଲେ। ଉକ୍ତ ବ୍ୟକ୍ତିଙ୍କ ବାମ ହାତର ବୁଢ଼ା ଆଙ୍ଗୁଠି ଉକ୍ତ ରାତି ପ୍ରାୟ ୯ଟା ସମୟରେ କଟର ମେସିନ୍ରେ ପଶି ସମ୍ପୂର୍ଣ୍ଣ ଛିଣ୍ଡି ଯାଇଥିଲା। ସେ ୫ ଘଣ୍ଟା ବିଳମ୍ବରେ ଆସିଥିଲେ ହେଁ ଛିଣ୍ଡି ଅଲଗା ହୋଇଯାଇଥିବା ଆଙ୍ଗୁଠିକୁ ବରଫ ଦ୍ୱାରା ସଂରକ୍ଷିତ କରି ନିଜ ସହ ଆଣିଥିଲେ।
ଅସ୍ତ୍ରୋପଚାର ପାଇଁ ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥିଲା। ଅସ୍ତ୍ରୋପଚାର ପରେ ଯୋଡ଼ା ଯାଇଥିବା ବାମ ହାତର ବୁଢ଼ା ଆଙ୍ଗୁଠିରେ ରକ୍ତ ସଞ୍ଚାଳନ ଆରମ୍ଭ ହୋଇଛି। ଧୀରେଧୀରେ ଫିଜିଓଥେରାପି ଓ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହାୟତାରେ ପ୍ରାୟ ୩-୪ ମାସ ମଧ୍ୟରେ ଏହି ଆଙ୍ଗୁଠିଟି ସ୍ୱାଭାବିକ ଭାବେ କାମ କରିବା ଆରମ୍ଭ କରିବ ବୋଲି ଡା ଗିରି କହିଛନ୍ତି।
Powered by Froala Editor