ସୁପ୍ରିମକୋର୍ଟଙ୍କ ବଡ ରାୟ: ଏଣିକି ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ
ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି । ଏଣିକି ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ । ଟିକା ନେଇନଥିବା ବ୍ୟକ୍ତିଙ୍କୁ ସାଧାରଣ ସ୍ଥାନକୁ ଆସିବା ଉପରେ ରୋକ୍ ଲଗାଇବା ବେଆଇନ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟଯେ, ଏବେ ଟିକା ନେବା ପାଇଁ ପରୋକ୍ଷ ଭାବେ ବାଧ୍ୟ କରାଯାଉଛି । କେତେକ ସ୍ଥାନକୁ ଯିବାକୁ ହେଲେ ଟିକାକରଣ ବାଧ୍ୟତାମୂଳକ ବୋଲି କୁହାଯାଉଛି। ଯାହାଫଳରେ ଅନେକ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏନେଇ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଟିକାକରଣ ନେଇ ହୋଇଥିବା ଆବେଦନର ଶୁଣାଣୀ କରିଥିଲେ ଜଷ୍ଟିସ ଏଲ ନାଗେଶ୍ୱର ରାଓ ଓ ଜଷ୍ଟିସ ବିଆର ଗାଭାଇ ।
ଖଣ୍ଡପୀଠ ପୁଙ୍ଖାନପୁଙ୍ଖ ଅନୁଧ୍ୟାନ ପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ଖଣ୍ଡପୀଠ ଟିକା ନେଇନଥିବା ବ୍ୟକ୍ତିଙ୍କ ଉପରେ କଟକଣାକୁ ନାପସନ୍ଦ କରିଥିଲେ । ଟିକା ନେଇନଥିବା ବ୍ୟକ୍ତି ଅଧିକ ସଂକ୍ରାମକ ବୋଲି ପ୍ରମାଣ ନାହିଁ । ସେମାନଙ୍କୁ ସାଧାରଣ ସ୍ଥାନକୁ ବାରଣ କରିବା ବେଆଇନ ବୋଲି ଖଣ୍ଡପୀଠ କହିଛନ୍ତି । ଟିକାକରଣ ନେଇ ସରକାର ନୀତି ନିର୍ଦ୍ଧାରଣ କରିପାରିବେ । ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି କିଛି ସର୍ତ୍ତାବଳୀ ଆପଣାଇପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ ଟିକା ନନେଇଥିବା ବ୍ୟକ୍ତିଙ୍କ ପାଇଁ କେତେକ ରାଜ୍ୟରେ ଯେଉଁ କଟକଣା ଲାଗିଛି ତାହା ସ୍ୱେଚ୍ଛାଚାରିତା ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି ।
ଦୁଇ ଡୋଜ କରୋନା ଟିକା ଦେଶର ଅଧିକାଂଶ ଲୋକ ନେଇସାରିଥିବାବେଳେ ଏବେ ବୁଷ୍ଟର ଡୋଜ ଟିକାଦାନ ଜାରିରହିଛି । ତେବେ ବୁଷ୍ଟର ଡୋଜ ପାଇଁ ଲୋକଙ୍କ ମଧ୍ୟରେ ସେତେଟା ଆଗ୍ରହ ପ୍ରକାଶ ପାଉନଥିବା ଲକ୍ଷ୍ୟ କରାଯାଉଛି ।
Powered by Froala Editor