ବିଜେପିକୁ ସମର୍ଥନ କରିବେ ନବୀନ ଓ ଜଗନ !
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଚଳିତ ଥର ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବା ସହ ଅଣବିଜେପି ନେତାମାନଙ୍କୁ ସାଙ୍ଗରେ ନେବାକୁ ଯୋଜନା କରିଛନ୍ତି । ନିଜ ଦମରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପିର ଦମ ନଥିବା ସଂଖ୍ୟା ଗଣିତ କହୁଛି । ନିଜ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଏନଡ଼ିଏ ପାଇଁ ଆଉ ୧%ରୁ ଅଧିକ ଭୋଟ ଆବଶ୍ୟକ ହେଉଛି । ଏଭଳି ସମୟରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୱାଇଏସଆର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ । ବିରୋଧୀ ଦଳଗୁଡ଼ିକ ନବୀନ ଓ ଜଗନଙ୍କୁ ନିଜ ସପକ୍ଷକୁ ନେବା ପାଇଁ ଆଲୋଚନା କରିଥିଲେବି ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ଉଭୟ ଜଗନ ଓ ନବୀନ କେନ୍ଦ୍ର ସରକାରଙ୍କ ସହ ନଥିଲେବି ବିରୋଧ କରିବାକୁ ଚାହୁଁନଥିବା ରାଜନୀତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି ।
ରାଷ୍ଟ୍ରପତି ସଂଖ୍ୟା ଗଣିତରେ ଏନଡ଼ିଏର ଭୋଟ ୪୮.୯% ଥିବାବେଳେ ଅବଶିଷ୍ଟଙ୍କ ଭୋଟ ୫୧.୧% ରହିଛି । ଫଳରେ ଏନଡ଼ିଏ ପାଇଁ ଆଉ ୧୧୯୯୦ ଭୋଟର ଆବଶ୍ୟକତା ରହିଛି । ନବୀନ ଓ ଜଗନଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ନେତାମାନେ ଗୋଟିଏ ରାସ୍ତାରେ ଯିବେ ବୋଲି କୁହାଯାଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନବୀନ ଓ ଜଗନଙ୍କ ହାତରେ ଭଲ ଭୋଟ ଥିବାରୁ ବିରୋଧୀ ଦଳଗୁଡ଼ିକ ସେମାନଙ୍କୁ ମନାଇବା ପାଇଁ ଉଦ୍ୟମ କରିଥିଲେ । ତେବେ ନବୀନ ଓ ଜଗନ ଉଭୟ ଏନଡ଼ିଏ ଓ ଉପା ଠାରୁ ସମଦୂରତା ରକ୍ଷା କରୁଥିବା ନେଇ ମତ ଦେଇଛନ୍ତି । ନିଜ ନିଜ ରାଜ୍ୟର ବିକାଶ ପାଇଁ ସେମାନେ କେନ୍ଦ୍ର ସରକାରଙ୍କୁ ବିରୋଧ କରିବାକୁ ଚାହୁଁନାହାନ୍ତି । ଉଭୟ ନେତା ନିଜ ରାଜ୍ୟରେ ବିଜେପି ଓ କଂଗ୍ରେସ ସହ ଲଢୁଥିବାରୁ ଏହି ମେଂଟ ରାଜନୀତିର ଅଳିଆରେ ପଶିବାକୁ ଚାହୁଁନାହାନ୍ତି ।
ବିରୋଧୀ ଦଳ ପକ୍ଷରୁ ଏସଂକ୍ରାନ୍ତରେ ନବୀନ ଓ ଜଗନଙ୍କ ସହ ଆଲୋଚନା କରାଯାଇଥିଲେବି ସେମାନେ ଏନଡ଼ିଏ କିମ୍ବା ଉପା ଗୋଷ୍ଠୀରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ପ୍ରାର୍ଥୀ ଚୟନ ପରେ ଉଭୟ ଚୂଡ଼ାନ୍ତ ନିଷ୍ପତି ନେବେବୋଲି କହିଛନ୍ତି । ଏଭଳି ସ୍ଥିତିରେ ଉଭୟ ନେତା ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ସମର୍ଥନ ସର୍ତ୍ତମୂଳକ ହେବ ନା ନିଃସର୍ତ୍ତ ହେବ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ ।
Powered by Froala Editor