ଧର୍ମସ୍ଥଳମାନଙ୍କରୁ ହଟିଲା ୫୩,୯୪୨ରୁ ଅଧିକ ଲାଉଡ୍ସ୍ପିକର

ଲାଉଡ୍ସ୍ପିକରକୁ ନେଇ ସାମ୍ପ୍ରାଦାୟିକ ଶାନ୍ତ ଭଙ୍ଗ ହୋଇଥିବାରୁ ଉତ୍ତର ପ୍ରଦେଶ ସରକାର ଲାଉଡ୍ ସ୍ପିକର ହଟାଇବା ଅଭିଯାନ ଜାରି ରଖିଛନ୍ତି । ଏହି କ୍ରମରେ ରବିବାର ସକାଳ ୭ଟା ସୁଧା ରାଜ୍ୟରେ ଥିବା ଧର୍ମସ୍ଥଳମାନଙ୍କରୁ ୫୩,୯୪୨ରୁ ଅଧିକ ଲାଉଡ୍ସ୍ପିକର ଖୋଲି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନିଷ୍ପତ୍ତି କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ପୁଲିସ ଏଡିଜି(ଲ ଆଣ୍ଡ ଅର୍ଡର) ଉତ୍ତର ପ୍ରଦେଶ ପ୍ରଶାନ୍ତ କିଶୋର କହିଛନ୍ତି ” ଆଜି ସକାଳ ୭ଟା ସୁଧା ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥାନରୁ ୫୩,୯୪୨ ଲାଉଡ୍ସ୍ପିକର ହଟାଇ ଦିଆଯାଇଛି। ସେହିପରି ୬୦,୨୯୫ ଲାଉଡସ୍ପିକର ସାଉଣ୍ଡକୁ କମାଇ ସାଧାରଣ ଭଲ୍ୟୁମ କରାଯାଇଛି।”
ବେଆଇନ ଲାଉଡ୍ସ୍ପିକର ହଟାଇବା ପାଇଁ ଏପ୍ରିଲ ୨୪ ତାରିଖରେ ୟୁପି ସରକାର ନିର୍ଦ୍ଦେଶ ଦେଇଥିଲେ। ୟୁପିର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାରରୁ ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡ୍ ସ୍ପିକର୍ ଲାଗିଛି ଓ ସେଥିରୁ ଦିନ ଓ ରାତିରେ କେତେ ଡେସିବଲ୍ ଶବ୍ଦ ବାହାରୁଛି ଯାଞ୍ଚ କରାଯାଇଥିଲା । ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହଯୋଗରେ ଲାଉଡ୍ସ୍ପିକର ହଟାଇ ଦିଆଯାଇଛି।
ସୂଚନା ଯେ, ସମସ୍ତେ ନିଜ ଧର୍ମ ରିତି ନୀତି ଅନୁସାରେ ପୂଜାପାଠ କରିବାକୁ ସ୍ୱାଧୀନ, କିନ୍ତୁ ଏହା ଯେପରି ଅନ୍ୟମାନଙ୍କୁ ବିରକ୍ତ ନକରେ ସେଥିପ୍ରତି ଯତ୍ନବାନ ହେବା ଦରକାର ବୋଲି କିଛି ଦିନ ତଳେ କହିଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
Powered by Froala Editor