ସିଆଇଏର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ହେଲେ ନନ୍ଦ ମୁଲଚନ୍ଦାନି, ପଢ଼ନ୍ତୁ ଭାରତ ସହ ତାଙ୍କର କ’ଣ ରହିଛି ସମ୍ପର୍କ...
ୱାସିଂଟନ: ଭାରତୀୟଙ୍କ ପାଇଁ ଖୁସି ଖବର । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ତଥା ବଡ଼ ଗୁଇନ୍ଦା ସଂସ୍ଥା ସିଆଇଏର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ହୋଇଛନ୍ତି ଜଣେ ଭାରତୀୟ ବଂଶୋଭବ । ସେ ହେଉଛନ୍ତି ନନ୍ଦ ମୁଲଚନ୍ଦାନି । ଏନେଇ ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ବର୍ନସ ଘୋଷଣା କରିଛନ୍ତି । ସିଆଇଏ ଅଫିସିଆଲ୍ ଟ୍ୱିଟରରେ ମଧ୍ୟ ଏନେଇ ସୂଚନା ଦିଆଯାଇଛି । ଯାହାକି ନିଶ୍ଚିତ ଭାବେ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ।
ଏହି ପଦବି ମିଳିବା ପରେ ମୁଲଚନ୍ଦାନି ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୋର ନିଯୁକ୍ତି ପରଠୁ ମୁଁ ପ୍ରଯୁକ୍ତିବିଦ୍ୟା ଉପରେ ବିଶେଷ ଗୁରୁତ୍ୱ ଦେଇ ଆସୁଛି । ଏବେ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ଏଥିପାଇଁ ମୁଁ ବେଶ୍ ଆନନ୍ଦିତ । ମୋର ଦୀର୍ଘ ୨୫ ବର୍ଷର ଥିବା ଲମ୍ବା ଅଭିଜ୍ଞତା ଜରିଆରେ ନିଶ୍ଚିତ ଭାବେ କିଛି ନୂଆ କରିବାକୁ ଚେଷ୍ଟା କରିବି । ସିଆଇଏ ଟେକ୍ନୋଲୋଜି କ୍ଷେତ୍ରରେ କିଛି ନୂଆ ଉଦ୍ଭାବନା କରିବାକୁ ଚାହୁଁଛି । ଆଶା କରୁଛି ଏଥିରେ ମୋତେ ସଫଳତା ମିଳିବ ।
ସୂଚନାଯୋଗ୍ୟ, ମୁଲଚନ୍ଦାନି ପୂର୍ବରୁ ସିଲିକନ ଭ୍ୟାଲି ଓ ଆମେରିକାର ପ୍ରତିରକ୍ଷା ବିଭାଗରେ ବି କାର୍ଯ୍ୟ କରି ସାରିଛନ୍ତି । ସେ ମଧ୍ୟ କେତେକ ଷ୍ଟାର୍ଟଅପର ପ୍ରତିଷ୍ଠାତା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ସାଇବର ସିକ୍ୟୁରିଟି କ୍ଷେତ୍ରରେ ତାଙ୍କର ଦକ୍ଷତା ସିଆଇଏ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।
Powered by Froala Editor