ଚୋରି ସନ୍ଦେହ : ସିକ୍ୟୁରିଟି ଗାର୍ଡଙ୍କୁ ଗଛରେ ଓଲଟା ବାନ୍ଧି ପିଟିଲେ ଯୁବକ

ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ କିଛି ଯୁବକ କାଠ ଫାଳିଆ ଓ ହାତରେ ମାଡ଼ ମାରୁଛନ୍ତି। ସେ ଯନ୍ତ୍ରଣା ସହି ନ ପାରି କାନ୍ଦିବା ସହ ଛାଡ଼ି ଦେବାକୁ ନେହୁରା ହେଉଥିଲେ ମଧ୍ୟ କେହି ବି ତାଙ୍କ କଥା ଶୁଣୁ ନାହାନ୍ତି। ଏପରିକି ତାଙ୍କ ଗୋଡ଼କୁ ଗଛର ଡାଳରେ ବାନ୍ଧି ଓଲାଟା ଝୁଲାଇ ଦିଆଯାଇଛି। ସେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମଧ୍ୟ ଯୁବକମାନେ ତାଙ୍କୁ ବାରମ୍ବାର ମାଡ଼ ମାରି ଚାଲିଛନ୍ତି।
ଘଟଣାଟି ଛତିଶଗଡ଼ର ବିଲାସପୁର ଜିଲ୍ଲା ସିପତ ସହରର । ସିକ୍ୟୁରିଟି ଗାର୍ଡ ମହାବୀରଙ୍କୁ ଗଛରେ ଓଲଟା ଝୁଲାଇ କିଛି ଯୁବକ ପ୍ରବଳ ମାଡ଼ ମାରିଛନ୍ତି। ଚୋରି ସନ୍ଦେହରେ ତାଙ୍କ ସହ ଏପିରି ଅମାନବୀୟ କାଣ୍ଡ ଯୁବକମାନେ ଘଟାଇଥିବା କୁହାଯାଉଛି। ଘଟଣାରେ ମନୀଷ ନାମକ ଜଣେ ଯୁବକ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ପୁଲିସ କହିବାନୁଯାୟୀ, ମନୀଷର ଘରେ ମହାବୀର ଚଳିତ ସପ୍ତାହରେ ଚୋରି ପାଇଁ ପ୍ରବେଶ କରିଥିଲା। କିନ୍ତୁ ପରିବାର ଲୋକ ତାଙ୍କୁ ସେଠାରେ କାବୁ କରି ନେଇଥିଲେ। ଏହାପରେ ଉଭୟ ପକ୍ଷଙ୍କୁ ପୁଲିସ୍ ଷ୍ଟେସନକୁ ଡକା ଯାଇଥିଲା। ଥାନାରେ ମନୀଷ ମାମଲାର ବୁଝାମଣା କରିବାକୁ ପରାମର୍ଶ ଦେବାରୁ ମହାବୀରଙ୍କୁ କେବଳ ସତର୍କ କରାଇ ଛାଡ଼ି ଦିଆଯାଇଥିଲା।
ତେବେ ଗୁରୁବାର ଦିନ ଗାଁର ଜଣେ ମହିଳା ପୁଲିସ୍ ଷ୍ଟେସନକୁ ଆସିବା ସହ ମହାବାରୀଙ୍କୁ କିଛି ଯୁବକ ମାଡ଼ ମାରୁଥିବା ଖବର ଦେଇଥିଲେ। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହାବୀରଙ୍କୁ ଉଦ୍ଧାର କରିଥିଲା ବୋଲି ବିକାଶ କୁମାର କହିଛନ୍ତି। ମହାବୀର ପୁଣିଥରେ ମନୀଷଙ୍କ ଘରେ ଚୋରି ଉଦ୍ଦେଶ୍ୟରେ ପଶିଥିବା ଅଭିଯୋଗ ହୋଇଛି।
Powered by Froala Editor