ମୁଖ୍ୟମନ୍ତ୍ରୀଙ୍କୁ ବମ୍ରେ ଉଡ଼ାଇବାକୁ ଧମକ

ଚଣ୍ଡିଗଡ଼: ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କ ସହ ପଞ୍ଜାବ ରାଜ୍ୟପାଳ ଓ ଅକାଳୀ ଦଳ ନେତାଙ୍କୁ ବମ୍ରେ ଉଡ଼ାଇବାକୁ ଧମକ ମିଳିଛି । ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ପକ୍ଷରୁ ଏହି ଧମକ ମିଳିଥିବା କୁହାଯାଉଛି । କପୁରଥାଲା ଜିଲ୍ଲା ଲୋଧୀ ରେଳ ଷ୍ଟେସନ ମାଷ୍ଟରଙ୍କ ନାମରେ ଏକ ଚିଠି ଆସିଥିଲା ।
ଏହି ଚିଠିରେ ଫିରୋଜପୁର ରେଳ ଷ୍ଟେସନ ସମେତ କେତେକ ପ୍ରମୁଖ ରେଳ ଷ୍ଟେସନ୍ ଉପରେ ବମ୍ ପକାଇବାକୁ ଧମକ ଦିଆଯାଇଛି । ତା ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ସିଂହ ମାନ୍ ଓ ଅନ୍ୟ ନେତାଙ୍କୁ ବମ୍ ପକାଇବାକୁ ଧମକ ମିଳିଛି । ଚିଠିଟି ହିନ୍ଦୀ ଭାଷାରେ ଆସିଛି । ଚିଠି ଆସିଥିବା ଲଫାଫାରେ ଡାକ ଟିକଟ ତ ଲାଗିଛି କିନ୍ତୁ କୌଣସି ଡାକଘରର ସିଲ୍ ବାଜିନାହିଁ ।ଷ୍ଟେସନ ମାଷ୍ଟର ରାଜବୀର ସିଂହ ନାମରେ ଏହି ଚିଠି ଆସିଛି । ଗୁରୁବାର ଷ୍ଟେସନ ସୁପରଭାଇଜରଙ୍କୁ ପୋଷ୍ଟ ମାଷ୍ଟର ଏହି ଚିଠି ଆସି ଦେଇଯାଇଥିଲେ । ଷ୍ଟେସନ ମାଷ୍ଟର ଏହି ଚିଠି ପଢ଼ିବା ପରେ ଅବାକ ହୋଇଯାଇଥିଲେ । ତୁରନ୍ତ ଏ ସମ୍ପର୍କରେ ସେ ପୋଲିସକୁ ଜଣାଇଛନ୍ତି ।
ଚିଠି ଜୈଶ-ଏ-ମହମ୍ମଦର କାଶ୍ମୀର ଏରିଆ କମାଣ୍ଡର ସଲୀମ ଅଂସାରୀ ପଠାଇଥିବା ଲେଖାଯାଇଛି । ତା ସହିତ ଏଥିରେ ଜୈଶ-ଏ-ମହମ୍ମଦ ଜିନ୍ଦାବାଦ ଓ ଖୁଦା ମୁଝେ ମାଫ୍ କରେଗା ବୋଲି ଲେଖା ଅଛି । ମୃତ୍ୟୁବରଣ କରିଥିବା ଜିହାଦୀଙ୍କ ପ୍ରତିଶୋଧ ନିଆଯିବ ବୋଲି ଲେଖାଯାଇଛି ।
ଚିଠି ମିଳିବା ପରେ ଫିରୋଜପୁର ରେଳ ମଣ୍ଡଳରେ ସୁରକ୍ଷା କଡ଼ାକଡ଼ି ହୋଇଛି । ଚିଠିରେ ଲେଖା ଯାଞ୍ଚ କରିବାକୁ ପଠାଯିବ । ଯାଞ୍ଚ ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି କହିଛନ୍ତି କପୁରଥାନା ଏସ୍ଏସ୍ପି ।
Powered by Froala Editor