ଏଣିକି ଆନ୍ଧ୍ର ଓ ତେଲେଙ୍ଗାନାରୁ ଓଡ଼ିଶା ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ପଶ୍ଚିମବଙ୍ଗ ପରେ ଚିନ୍ତା ବଢ଼ାଇଛି ଆନ୍ଧ୍ର ଷ୍ଟ୍ରେନ୍ । କରୋନାର ଏହି ଘାତକ ରୂପ ଏତେ ସାଂଘାତିକ ଯେ ଅନ୍ୟ ଷ୍ଟ୍ରେନଠାରୁ ୧୫ ଗୁଣା ଅଧିକ ସଂକ୍ରମିତ କରୁଛି । ଖୁବ ଦ୍ରୁତ ଗତିରେ ଏହା ମଣିଷ ଶରୀରକୁ ଆକ୍ରାନ୍ତ କରୁଛି । ଏମିତିକି ୩-୪ ଦିନ ଭିତରେ ସଂକ୍ରମିତ ରୋଗୀଙ୍କ ଗୁରୁତର କରି ଦେଉଛି । ରୋଗୀ ପଜିଟିଭ୍ ଚିହ୍ନଟ ହେବାବେଳକୁ ସ୍ଥିତି ସଙ୍କଟାପନ୍ନ ହେବା ଆଶଙ୍କା ରହୁଛି । ବିଶାଖାପାଟଣାରେ ଏହି ଷ୍ଟ୍ରେନ ପ୍ରଥମେ ଠାବ ହୋଇଛି । ବିଶେଷଜ୍ଞମାନେ ଏହାକୁ ନେଇ ସତର୍କ କରାଇ ଦେଇଛନ୍ତି ।ଆନ୍ଧ୍ର ଷ୍ଟ୍ରେନକୁ ନେଇ ଓଡ଼ିଶାରେ ବିପଦ ଘନେଇଛି । ବିଶେଷ କରି ଆନ୍ଧ୍ର ଓ ତେଲେଙ୍ଗାନାକୁ ଲାଗି ଥିବା ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲା ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।
ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି, ଆନ୍ଧ୍ର ଓ ତେଲେଙ୍ଗାନାରୁ ଓଡ଼ିଶା ଆସିଲେ ଏଣିକି ୧୪ ଦିନ ବାଧ୍ୟତାମୂଳକ ସରକାରୀ କେନ୍ଦ୍ରରେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇ ଡୋଜ ଟିକାକରଣ ପ୍ରମାଣପତ୍ର ଥିଲେ ଘରେ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ହେବ । ଏଥିରେ ଖିଲାପ କଲେ ୭ଦିନ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବାକୁ ପଡ଼ିବ ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ପଡ଼ୋଶୀ ଆନ୍ଧ୍ର ଓ ତେଲେଙ୍ଗାନାକୁ ଲାଗି ଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ସମସ୍ତ ସୀମାନ୍ତ ରାସ୍ତାରେ ଚେକ୍ ପୋଷ୍ଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଡ଼ୋଶୀ ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟରୁ ଯେ କୌଣସି ଗାଡ଼ିରେ (ଦୁଇ ଚକିଆ, ୩ଚକିଆ ୪ ଚକିଆ ଓ ଟ୍ରେନ) ଆସୁଥିବା ଲୋକଙ୍କୁ ଚିହ୍ନଟ କରି ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ ସରକାରୀ କେନ୍ଦ୍ରରେ । ଜିଲ୍ଲା ପ୍ରଶାସନ ସେମାନଙ୍କ ପାଖରେ ସବୁ ସୁବିଧା ପହଞ୍ଚାଇବ । ଏହି ଦୁଇ ରାଜ୍ୟରୁ ଯେଉଁମାନେ ଅନ୍ୟ ରାଜ୍ୟକୁ ଯାଉଥିବେ, ସେମାନେ ଓଡ଼ିଶାରେ ଆଦୌ ନ ରୋକି ନିଜ ଗନ୍ତବ୍ୟ ସ୍ଥଳରେ ଯାଇପାରିବେ ।
Powered by Froala Editor