ମାଓବାଦୀଙ୍କ ଉପରେ ବୋମା ବର୍ଷା, ପ୍ରେସ୍ ରିଲିଜ କଲା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି
ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲାରେ ମାଓବାଦୀଙ୍କ ଉପରେ ପୁଣି ଏୟାର ଷ୍ଟ୍ରାଇକ ହୋଇଥିବା ଅଭିଯୋଗ ଆସିଛି । ବୋମା ମାଡ଼ରେ ସଂରକ୍ଷିତ ଜଙ୍ଗଲ ଗୁଡିକ ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ ଆସିଛି । ଗତ ଦୁଇ ଦିନ ତଳେ ବସ୍ତର ଜିଲ୍ଲାରେ ଏପରି ଘଟିଥିବା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ପ୍ରେସ୍ରିଲିଜ ଜାରି କରି ସୂଚନା ଦେଇଛି। ତେବେ ନକ୍ସଲ ନେତାଙ୍କ ଏପରି ଅଭିଯୋଗ ନେଇ ମୁହଁ ଖୋଲିନି ପୁଲିସ୍।
ପ୍ରେସ୍ରିଲିଜ୍ ଅନୁସାରେ ଗତ ୧୪ ଓ ୧୫ ତାରିଖରେ ଛତିଶଗଡ଼ ରାଜ୍ୟର କୋଟ୍ଟମ, ରାସମ୍, ଏରାମ୍, ସାକିଲେର, ମଡପା, ଦୁଲେଡ, କନ୍ନେମରକା, ପୋଟେମାନଗୁମ୍ ଏବଂ ବୋତମ୍ ଭଳି ଗାଁ ଉପରେ ପୁଲିସ୍ ଡ୍ରୋନ୍ ସାହାଯ୍ୟରେ ବୋମା ବର୍ଷଣ କରିଛି। ରାତି ପ୍ରାୟ ଗୋଟାଏରୁ ଦୁଇଟା ବେଳେ ଏହି ବୋମା ବର୍ଷଣ କରାଯାଇଥିଲା। ପ୍ରାୟ ୫୦ରୁ ଅଧିକ ବୋମା ବର୍ଷଣ କରାଯାଇଥିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ନକ୍ସଲ। ଏପରି ବୋମା ବର୍ଷଣକୁ ନିନ୍ଦା କରିବା ସହ ଆଗାମୀ ଦିନର ଏହାର ଉଚିତ ଜବାବ ଦିଆଯିବ ବୋଲି ନକ୍ସଲମାନେ ଚେତାବନୀ ଦେଇଛନ୍ତି।
ତେବେ ଏହି ବୋମା ମାଡ ଦ୍ୱାରା ମାଓ ସଙ୍ଗଠନର କୌଣସି କ୍ଷତି ହୋଇନଥିବା ବେଳେ ଏହି ଅଞ୍ଚଳର ବହୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଏପିରିକି ବୋମା ମାଡ଼ରେ ସଂରକ୍ଷିତ ଜଙ୍ଗଲ ଗୁଡିକ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।
Powered by Froala Editor