ରାଜ୍ୟର ୭୫ ଲକ୍ଷ ଯୁବକଙ୍କୁ ରୋଜଗାରକ୍ଷମ କରାଯିବ: ଧର୍ମେନ୍ଦ୍ର
ଭୁବନେଶ୍ୱର: ରାଜ୍ୟର ୧୫ରୁ ୨୫ବର୍ଷ ବୟସର ୭୫ ଲକ୍ଷ ଯୁବକଙ୍କ ଦକ୍ଷତା ବିକାଶ ତାଲିମ ଦିଆଯିବ। ସେମାନଙ୍କୁ ରୋଜଗାରକ୍ଷମ କରାଯିବ। ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଭୁବନେଶ୍ୱର ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ) କ୍ୟାମ୍ପସ ଠାରେ ଶନିବାର ଭାରତ ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ (ଏନଏସଡ଼ିସି) ଇଂଟରନ୍ୟାସନାଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) କାର୍ୟ୍ୟକ୍ରମେ ଯୋଗଦେଇ ସେ ଏହା କହିଛନ୍ତି। ଏହି ଅବସରରେ ବୈଷୟିକ ତାଲିମ ସମ୍ପର୍କିତ ତିନୋଟି କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ଏହି ଅବସରରେ ସେ କହିଥିଲେ, ରାଜ୍ୟରୁ ଅନେକ ପିଲା ବାହାର ଦେଶକୁ କାମ କରିବାକୁ ଯାଉଛନ୍ତି । ମାତ୍ର ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ସେମାନେ ବାହାରେ ସାମାଜିକ ସୁରକ୍ଷା ପାଉ ନାହାନ୍ତି। ଅନେକ କଷ୍ଟର ସମ୍ମୁଖୀନ ହେଉଛନ୍ତି। ଭାରତବର୍ଷରେ ଏହି ବର୍ଗର ପିଲାଙ୍କ ବୟସ ୧୫ ବର୍ଷରୁ ୨୫ ବର୍ଷ । ଦେଶରେ ଏହି ବର୍ଗର ପିଲାଙ୍କ ସଂଖ୍ୟା ୨୫ କୋଟି ଓ ଆମ ରାଜ୍ୟରେ ୭୫ ଲକ୍ଷ । ଏହି ଯୁବବର୍ଗର ପିଲାଙ୍କୁ ବୈଷୟିକ ତାଲିମ, ଉତ୍ତମ ଜ୍ଞାନ ଏବଂ ରୋଜଗାର ସହ ଯୋଡ଼ିବାକୁ ପଡ଼ିବ । ଯାହା ଦ୍ୱାରା ରାଜ୍ୟ ତଥା ଦେଶ ବିକାଶରେ ଅଗ୍ରଣୀ ହେବ।
ଖାସ୍ ଏହି ଲକ୍ଷ୍ୟରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର, ୱାର୍ଲଡ ସ୍କିଲ୍ସ ଏକାଡ଼େମୀ, ନ୍ୟାସନାଲ ଏକାଡ଼େମୀ ଫର୍ ସ୍କିଲ୍ ଟିଚରର ଶୁଭାରମ୍ଭ ହୋଇଛି। ଏନଏସଡିସି ଇଂଟରନ୍ୟାସନାଲ ସହ ରାଜ୍ୟ ସରକାର ଏବଂ ଓଭରସିଜ୍ ଏମ୍ପଲୟରଙ୍କ ମଧ୍ୟରେ ପୃଥକ ପୃଥକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏ ଦିଗରେ ଏନଏସଡ଼ିସି ୟୁଏଇ, ସାଉଦି ଆରବ, ବାହାରିନ ଭଳି ଉପସାଗରୀୟ ଦେଶ ସମେତ ବିଭିନ୍ନ ଦେଶର ସରକାରଙ୍କ ସମନ୍ୱୟ ରହିବ। ବିଦେଶରେ ଥିବା ବ୍ୟବସାୟିକ ହାଉସ ଏବଂ ଅନ୍ୟ କମ୍ପାନୀଙ୍କ ସହ ମିଶି ଦକ୍ଷ ମାନବ ସମ୍ବଳ ପଠାଯିବ। ବୈଦେଶିକ ମନ୍ତ୍ରଣାଳୟର ମଧ୍ୟ ଏଥିପାଇଁ ଦାୟିତ୍ୱ ରହିଛି। ଓଡ଼ିଆ ପିଲାମାନେ ଦକ୍ଷ ହୋଇଗଲେ ତାଙ୍କର ରୋଜଗାର ବଢ଼ିବ।କାର୍ୟ୍ୟକ୍ରମରେ ଓଡ଼ିଶା ସ୍କିଲ ଡେଭଲପମେଂଟ ଅଥୋରିଟିର ଚେୟାରମ୍ୟାନ ସୁବ୍ରତ ବାଗଚି, ରାଜ୍ୟ ସରକାର ସ୍କିଲ ଡେଭଲପମେଂଟ ଏବଂ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଏସଡ଼ିଆଇ ଭୁବନେଶ୍ୱରର ଚେୟାରମ୍ୟାନ ରଞ୍ଜନ କୁମାର ମହାପାତ୍ର, ଏନଏସଡ଼ିସିର ସିଇଓ ବେଦମଣି ତିୱାରୀ, ଭୁବନେଶ୍ୱରର ଏସଡ଼ିଆଇ ଶାଖା ସିଇଓ ସଞ୍ଜୟ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor