କୋଭିଡ୍ ମୃତ୍ୟୁ ପାଇଁ କ୍ଷତିପୂରଣ : ବଢ଼ିଲା ଆବେଦନ ତାରିଖ

ଭୁବନେଶ୍ୱର:ସରକାର ଏବେ କୋଭିଡ୍ ମୃତ୍ୟୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେଉଛନ୍ତି । ନଭେମ୍ବର ୩ତାରିଖରୁ ରାଜ୍ୟରେ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାର ଏହି କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ ତାରିଖକୁ ଚଳିତ ବର୍ଷ ମେ’ ମାସ ୨୮ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି ।କୋଭିଡ୍ ମୃତ୍ୟୁଜନିତ କ୍ଷତିପୂରଣ ପାଇବାକୁ ଏବେ ପ୍ରାୟ ୧୭୫୦୦ଟି ଆବେଦନ ପଡ଼ି ରହିଥିବାବେଳେ ସେଥିରୁ ୧୬୨୫୦ଟି ଆବେଦନକାରୀଙ୍କୁ କ୍ଷତିପୂରଣ ମିଳିସାରିଛି । ଯଦିଓ ରାଜ୍ୟ ସରକାରଙ୍କ ୱେବସାଇଟରେ କୋଭିଡଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ମାତ୍ର ୯୧୨୧ ଜଣ ରହିଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ବ୍ୟକ୍ତିମାନେ ୨୦୨୨ ମାର୍ଚ୍ଚ ୨୦ତାରିଖ କିମ୍ବା ତା’ପୂର୍ବରୁ କୋଭିଡ-୧୯ରେ ପ୍ରାଣ ହରାଇଛନ୍ତି ଓ ସେମାନଙ୍କ ସମ୍ପର୍କୀୟମାନେ ଯଦି ଏହି ସହାୟତା ରାଶି(୫୦ହଜାର ଟଙ୍କା) ପାଇନାହାନ୍ତି, ତା’ହେଲେ ସେମାନେ ଆବଶ୍ୟକୀୟ ଦସ୍ତାବିଜ ସହ ଜିଲ୍ଲାପାଳଙ୍କୁ ଅଫଲାଇନରେ କିମ୍ବା ସରକାରଙ୍କ ୱେବସାଇଟ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।
ଯଦି କେହି କୋଭିଡରେ ପ୍ରାଣ ହରାଇଥିବେ ଅବା ଭବିଷ୍ୟତରେ ପ୍ରାଣ ହରାନ୍ତି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରବର୍ଗ ତାଙ୍କ ମୃତ୍ୟୁର ୯୦ଦିନ ମଧ୍ୟରେ ଆବଶ୍ୟକୀୟ ଦସ୍ତାବିଜ ସହ ଉଭୟ ଅଫଲାଇନ୍ କିମ୍ବା ଅନଲାଇନରେ ଆବେଦନ କରିପାରିବେ । ଯଦି କେହି କୌଣସି ଅସୁବିଧା ପାଇଁ ଏହି ଧାର୍ୟ୍ୟ ସମୟସୀମା ମଧ୍ୟରେ ଆବେଦନ କରିବାରେ ବିଫଳ ହୋଇଥିବେ, ତା’ହେଲେ ସେ ପ୍ରତି ଜିଲ୍ଲାରେ ଗଠିତ ଅଭିଯୋଗ ସମାଧାନ କମିଟି ମାଧ୍ୟମରେ ଆବେଦନ କରିପାରିବେ । କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଆବେଦନ କରିବାର ୩୦ଦିନ ମଧ୍ୟରେ ଏହି ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ଆବଶ୍ୟକସ୍ଥଳେ ସରକାରଙ୍କ ହେଲପଲାଇନ ନମ୍ବର ୧୫୫୩୫କୁ ଫୋନ୍ କରି ଏହି ସହାୟତା ପାଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ ଦ୍ୱାରା ସୂଚନା ଦିଆଯାଇଛି ।
Powered by Froala Editor