ଆନ୍ଧ୍ର ମ୍ୟାପରେ କୋଟିଆ

ଭୁବନେଶ୍ୱର: କୋଟିଆକୁ ନେଇ ନୂଆ ଚାଲ ଖେଳିଛି ଆନ୍ଧ୍ରପ୍ରଦେଶ । ଆନ୍ଧ୍ରପ୍ରଦେଶ ସୋମବାର ତା’ର ନୂଆ ପ୍ରଶାସନିକ ମାନଚିତ୍ର ଜାରି କରିଛି । ଏହି ମ୍ୟାପ ଅନୁଯାୟୀ ଆନ୍ଧ୍ରର ଜିଲ୍ଲା ସଂଖ୍ୟା ୨୬ରେ ପହଞ୍ଚିଛି । ପୂର୍ବରୁ ଆନ୍ଧ୍ରର ମୋଟ ୧୩ଟି ଜିଲ୍ଲା ଥିଲା । ତେବେ ନୂଆ ଜିଲ୍ଲା ମାନ୍ୟମରେ କୋଟିଆର ୨୦ଟି ଗାଁ ଓ ୧୨ଟି ପଡ଼ା ଥିବା ଜଣାଯାଇଛି । ତେଲୁଗୁରେ ମାନ୍ୟମର ଅର୍ଥ ପଛୁଆ ଅଞ୍ଚଳ ।
ପ୍ରକାଶ ଯେ ପୂର୍ବରୁ ଆନ୍ଧ୍ରରେ ମୋଟ ୧୩ଟି ଜିଲ୍ଲା ଥିଲା। କିନ୍ତୁ ଜଗନ ମୋହନ ରେଡ୍ଡୀ ସରକାର ସୋମବାର ଆଉ ୧୩ଟି ଛୋଟ ଛୋଟ ନୂଆ ଜିଲ୍ଲା ଗଠନ କରିଛନ୍ତି। ଏହାଦ୍ୱାରା ଉତ୍ତମ ଶାସନ ସହ ସରକାରୀ ସେବା ଲୋକଙ୍କ ପାଖରେ ପହଞ୍ଚି ପାରିବ ବୋଲି ଜଗନ ସରକାର ଆଶା କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଭିଡିଓ କନଫରେନ୍ସିଂ ଜରିଆରେ ନୂଆ ଜିଲ୍ଲାଗୁଡ଼ିକୁ ଲଞ୍ଚ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ନୂଆ ଜିଲ୍ଲାଗୁଡ଼ିକ ଗଠନ ହେବାର ଅର୍ଥ ଏଣିକି ସବୁ ଅଞ୍ଚଳର ବିକାଶ ଠିକ୍ ଭାବେ ହୋଇପାରିବ। ସମସ୍ତଙ୍କ ପାଖରେ ସବୁ ସରକାରୀ ସେବା ପହଞ୍ଚି ପାରିବ।” ପୂର୍ବରୁ ଜଗନ ସରକାର ଗାଁ ସଚିବାଳୟ ଗଠନ କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ। ଏ ସଂକ୍ରାନ୍ତ ବିଲ୍ ମଧ୍ୟ ସରକାର ଆଣିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନର ପ୍ରଚାର ବେଳେ ରାଜ୍ୟରେ ଥିବା ୨୫ଟି ଲୋକସଭା ନିର୍ବାଚନ ମଣ୍ଡଳୀକୁ ଗୋଟିଏ ଲେଖାଏ ଜିଲ୍ଲାରେ ପରିଣତ କରାଯିବ ବୋଲି ଜଗନ ମୋହନ ପ୍ରତିଶ୍ରୁତି ଦେଇଥିଲେ। ଏବେ ଏହି ପ୍ରତିଶ୍ରୁତି ମୁତାବକ ଜଗନ ସରକାର ୨୬ଟି ଜିଲ୍ଲା ଗଠନ କରିଛନ୍ତି।
Powered by Froala Editor