ମାନସ ସ୍ୱାଇଁ ହତ୍ୟା ମାମଲା: ଆଜି ଶର୍ମିଷ୍ଠା-ଝୁନାଙ୍କୁ ଜେରା

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜଡ଼ିତ ୨ ଅଭିଯୁକ୍ତଙ୍କୁ ଦ୍ୱିତୀୟ ପର୍ୟ୍ୟାୟ ଜେରା କରାଯିବ । ସେମାନଙ୍କୁ ସାମ୍ନାସାମ୍ନି ଜେରା କରାଯିବ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ଅନ୍ୟତମ ଅଭିଯୁକ୍ତ ଝୁନା ଭୋଇଙ୍କୁ ଦ୍ୱିତୀୟ ପର୍ୟ୍ୟାୟ ଜେରା ରିବ କ୍ରାଇମବ୍ରାଞ୍ଚ । ସେହିପରି ଆଜି ଉଭୟଙ୍କୁ ବାହାରକୁ ନେବାର ସମ୍ଭାବନା ନଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଯେ, ମାର୍ଚ୍ଚ ୨୮ ତାରିଖରେ ଶର୍ମିଷ୍ଠା ଓ ଝୁନାଙ୍କୁ ଗିରଫ କରିବା ପରେ ୨୯ ତାରିଖରୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲେ। ସେମାନଙ୍କ ସହିତ ଘଟଣାର ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ମଧ୍ୟ କ୍ରାଇମ୍ବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇଥିଲା। ପ୍ରଥମ ରିମାଣ୍ଡ ସମୟରେ ଶର୍ମିଷ୍ଠାଙ୍କୁ ଅପହରଣ ସ୍ଥଳ ଠାରୁ ଆରମ୍ଭ କରି ହତ୍ୟାସ୍ଥଳ ଓ ମୃତଦେହ ପୋତା ଯାଇଥିବା ସ୍ଥାନକୁ ନିଆଯାଇ ସିନ୍ ରିକ୍ରିଏଟ୍ କରାଯାଇଥିଲା। ରିମାଣ୍ଡର ଶେଷ ଦିନରେ ଉଭୟ ଶର୍ମିଷ୍ଠା ଓ ନିରଞ୍ଜନ ସେଠୀଙ୍କୁ ସଂପୂର୍ଣ୍ଣ ୱେବ୍ ପୋର୍ଟାଲର ଅଫିସ୍କୁ ନେଇ ସିନ୍ ରିକ୍ରିଏଟ୍ କରାଯାଇଥିଲା। ଫେବ୍ରୁଆରୀ ୭ ତାରିଖ ସକାଳେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କୁ ଭୁବନେଶ୍ୱରର ଦୟାଲ ଆଶ୍ରମରୁ ସଂପୂର୍ଣ୍ଣ ଅଫିସ୍କୁ ଅଣାଯାଇଥିଲା। ସେଠାକୁ ନିରଞ୍ଜନ ସେଠୀ ମଧ୍ୟ ଆସିଥିଲେ। ନିରଞ୍ଜନ ସେଠାରେ ମାନସକୁ ପିଟି ଥିବା କ୍ରାଇମବ୍ରାଞ୍ଚ ଜେରା ବେଳେ କହିଥିଲେ। ଫେବ୍ରୁଆରୀ ୮ ତାରିଖରେ ଶର୍ମିଷ୍ଠା ଓ ଝୁନାଙ୍କୁ ଫେରାର ହେବା ପାଇଁ ୧୦ ହଜାର ଟଙ୍କା ସହିତ ଏକ ଗାଡ଼ିର ବ୍ୟବସ୍ଥା କରିଥିଲେ ନିରଞ୍ଜନ। ସେହିପରି ରିମାଣ୍ଡର ତୃତୀୟ ଦିନରେ ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକଙ୍କୁ ଧରି କ୍ରାଇମବ୍ରାଞ୍ଚ ଚଣ୍ଡିଖୋଲ-ଡୁବୁରୀ ଏକ୍ସପ୍ରେସ ହାଇୱେ ଠାରୁ ୨ କିମି ଦୂର ଶଙ୍ଖାରିଗୁଡ଼ାକୁ ନେଇଥିଲା। ମାନସଙ୍କ ମୃତଦେହ ପୋତିବାକୁ ମାଟି ଖୋଳିବାକୁ ବ୍ୟବହାର କରାଯାଇଥିବା ଫାଉଡ଼ା ଓ ଗଇଁତି ଆଦିକୁ ସେଠାରୁ ଏକ ବୁଦାମୂଳରୁ ଜବତ କରାଯାଇଥିଲା। ତା’ସହିତ ସେଠାରୁ ଏକ ଅଖା, ଅଧାପୋଡ଼ା ଶାଢ଼ି, ମାନସର ଇୟର ଫୋନ୍ ଓ ଚପଲକୁ କ୍ରାଇମବ୍ରାଞ୍ଚ ଜବତ କରିଥିଲା।
Powered by Froala Editor