ଭୁଲ ବହି ବିକ୍ରି ମାମଲାରେ ସିବିଏସଇ ଗଣଶିକ୍ଷା ବିଭାଗକୁ ମାଗିଲା ରିପୋର୍ଟ
ଭୁବନେଶ୍ୱର : ଓଡିଶା ଅଭିଭାବକ ମହାସଂଘ ତରଫରୁ ସିବିଏସଇ ଅନୁମୋଦିତ ସମସ୍ତ ଘରୋଇ ସ୍କୁଲରେ ଏନସିଇଆରଟି ପାଠ୍ୟକ୍ରମ କିମ୍ବା ଏନସିଆର୍ଟି ବହି ବ୍ୟବହାର କରି ପାଠ ପଢ଼ାଇବା ତଥା ଯେଉଁ ଘରୋଇ ସ୍କୁଲ ନିୟମ ଭଙ୍ଗ କରି ବେଆଇନ ଭାବେ ଭୁଲ ବହି ବିକ୍ରୀ କରିଛନ୍ତି ତାଙ୍କ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ପାଇଁ ସିବିଏସଇ କର୍ତ୍ତୃପକ୍ଷଙ୍କୁ ଦାବି କରାଯାଇଥିଲା ।
ସଠିକ କାର୍ୟ୍ୟାନୁଷ୍ଠାନ ନ ହେଲେ ଭୁବନେଶ୍ୱର ଆଞ୍ଚଳିକ କାର୍ୟ୍ୟାଳୟକୁ ଅଚଳ କରିବାକୁ ଚେତାବନୀ ମଧ୍ୟ ଦିଆଯାଇଥିଲା । ପ୍ରକାଶ ଥାଉ କି ଦେଶର ସମସ୍ତ ସ୍କୁଲରେ ଜାତୀୟ ସ୍ତରରେ ଏନସିଇଆରଟି ଓ ରାଜ୍ୟରେ ବିଭିନ୍ନ ଭାଷାରେ ରାଜ୍ୟ ସ୍ତରରେ ଏସସିଇଆରଟି ପାଠ୍ୟକ୍ରମ ଅନୁମୋଦିତ ପାଠ୍ୟ ପୁସ୍ତକ ବ୍ୟବହାର କରି ପାଠ ପଢ଼ାଇବା ପାଇଁ ସ୍ପଷ୍ଟ ନିୟମ ସହିତ ବିଭିନ୍ନ ସମୟରେ ଏନସିପିସିଆର,କେନ୍ଦ୍ର ମାନବ ସମ୍ବଳ ବା ଏବେର ଶିକ୍ଷା ବିଭାଗ, ମାନ୍ୟବର ଉଚ୍ଚତମ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ, ମାନବାଧିକାର କମିଶନ ଓ ବିଶେଷ କରି ରାଜ୍ୟ ଗଣଶିକ୍ଷା ବିଭାଗର ମଧ୍ୟ ସମସ୍ତ ସ୍କୁଲ ପାଇଁ ସ୍ପଷ୍ଟ ନିର୍ଦେଶ ରହିଛି।
ତାଛଡା ଶିକ୍ଷା ଅଧିକାର ଆଇନ ୨୦୦୯ ଧାରା ୨୯, ସଂଶୋଧିତ ଜୁବେନାଇଲ ଜଷ୍ଟିସ ଆଇନ ୨୦୧୫ ଅନୁସାରେ ମଧ୍ୟ ଏହି ନିୟମ ରେ ସ୍କୁଲ ମାନେ ଏନ ସି ଇ ଆର ଟି ବହିରେ ପାଠ ପଢ଼ାଇବାକୁ ସ୍ପଷ୍ଟ ନିର୍ଦେଶ ରହିଛି। ହେଲେ ପ୍ରାଇଭେଟ ସ୍କୁଲ ମାନେ ବେଆଇନ ଭାବେ ହଜାର ହଜାର କୋଟି ଟଙ୍କର ମୁନାଫା କରିବାକୁ ଏହି ଚକ୍ରବ୍ୟୁହ ରଚନା କରି ବର୍ଷ ବର୍ଷ ଧରି ଏହି ବେଆଇନ ବହି ବିକ୍ରି କରି ଚାଲିଛନ୍ତି। ଯଦ୍ୱାରା କି ଅଭିଭାବକ ମାନେ ଅଯଥାରେ ଆର୍ଥିକ ବୋଝ ସହିବା ସହିତ କୋମଳମତି ପିଲାମାନେ ମଧ୍ୟ ଅଯଥାରେ ଅନାବଶ୍ୟକ ବସ୍ତାନି ବୋଝ ବୋହି ତାଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣୁଛନ୍ତି।
ଯଦି ନବମ ଠାରୁ ଦ୍ୱାଦଶ ପର୍ୟ୍ୟନ୍ତ ପାଠ ପଢ଼ା ଓ ଜାତୀୟ ତଥା ରାଜ୍ୟରେ ସବୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ, ଆଦର୍ଶ ଆଦି ସବୁ ସ୍କୁଲରେ ପ୍ରଶ୍ନ ଓ ପାଠ ପଢ଼ା ଏନ ସି ଇ ଆର ଟି ବହିରୁ ଆସୁଛି ତେବେ ଏହି ଘରୋଇ ବିଦ୍ୟାଳୟ ମାନେ କାହିଁକି ଏଥିରୁ ବିଚ୍ୟୁତ ହେଉଛନ୍ତି? ତେଣୁ ଏହି ଅଗଣତାନ୍ତ୍ରିକ ମନୋମୁଖୀ ଭୁଲ ବହି ବିକ୍ରିକୁ ଦୀର୍ଘ ଦିନ ଧରି ଅଭିଭାବକ ମହାସଂଘ ବିରୋଧ କରି ଆସୁଛି।
ଆଗରୁ ମଧ୍ୟ ବହୁ ବାର ଏଥିପାଇଁ ଆନ୍ଦୋଳନ ହୋଇଛି। ଆଜି ଏ ସଂକ୍ରାନ୍ତରେ ସବୁ ସ୍କୁଲରେ ଏହି ନିୟମର କାର୍ୟ୍ୟକାରିତାକୁ ନେଇ ସିବିଏସଇ ମୁଖ୍ୟ କାର୍ୟ୍ୟାଳୟ ରାଜ୍ୟ ଗଣଶିକ୍ଷା ପ୍ରମୁଖ ସଚିବଙ୍କୁ ସବିଶେଷ ତଥ୍ୟ ପ୍ରଦାନ ପାଇଁ ଚିଠି ଲେଖିଛନ୍ତି ଓ ଭୁବନେଶ୍ୱର ଆଞ୍ଚଳିକ କାର୍ୟ୍ୟାଳୟ କୁ ଏହାକୁ ତୁରନ୍ତ କାଯ୍ୟକରିବା ପାଇଁ ତତ୍ପର ପ୍ରକାଶ କରିବାକୁ କହିଛନ୍ତି। ଯେହେତୁ ଗଣଶିକ୍ଷା ବିଭାଗ ମଧ୍ୟ ସ୍କୁଲ ଗୁଡିକୁ ସ୍ୱୀକୃତି ଦେବା ସମୟରେ ଯୋଗ୍ୟତା ତଥ୍ୟ ପ୍ରଦାନ ଅନୁଶାଙ୍କ ୮ ରେ ଏନସିଇଆରଟି ପାଠ୍ୟକ୍ରମ ଅନୁମୋଦିତ ବହି ବ୍ୟବହାର ପାଇଁ ସ୍ପଷ୍ଟ ନିୟମ ରହିଛି, ତେଣୁ ଗଣଶିକ୍ଷା ବିଭାଗ ମଧ୍ୟ ତାକୁ ତଦାରଖ କରିବା ପାଇଁ ନିୟମ ଅଛି, ମାତ୍ର କିଛି ଅସାଧୁ ମେଣ୍ଟ ଏହାକୁ କରାଇଦେଉ ନଥିବାରୁ ମହାସଂଘ ବାରମ୍ବାର ଅଭିଯୋଗ କରିଆସୁଥିଲା।
ପୂର୍ବରୁ ମହାସଂଘର ଏହି ସମସ୍ୟା କୁ ନେଇ ଆନ୍ଦୋଳନ ପରେ ପ୍ରାଥମିକ ଶିକ୍ଷା ନିର୍ଦେଶକ ବୃନ୍ଦାବନ ଶତପଥୀଙ୍କ ପ୍ରକୋଷ୍ଠରେ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଏହି ଆଇନର ପ୍ରମୁଖ ଖିଲାପକାରୀ ସେଣ୍ଟ ଜୋସେଫ ସ୍କୁଲକୁ ବେଆଇନ ବହି ବିକ୍ରୀ ଓ ଫିସ ଆଦାୟ ପାଇଁ ସ୍ୱୀକୃତି ପ୍ରତ୍ୟାହାର କାହିଁକି କରା ନ ଯିବ ସମ୍ପର୍କିତ ନୋଟିସ ଜାରି କରା ଯାଇଥିଲା, ଏଥି ସହିତ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନ ସି ଇ ଆର ଟି ବହି ରେ ପାଠ ପଢ଼ା ନିର୍ଦେଶର ସଠିକ କାର୍ୟ୍ୟକାରୀ ପାଇଁ ସ୍ପଷ୍ଟ ନିର୍ଦେଶ ଜାରି କରାଯାଇଥିଲା। ତେଣୁ ପରବର୍ତୀ କାର୍ୟ୍ୟାନୁଷ୍ଠାନ ଓ କାର୍ୟ୍ୟକାରିତାକୁ ମହାସଂଘ ତୀକ୍ଷ୍ଣ ନଜର ରଖିଛି। ଏହି ଆଇନର ସଠିକ କାର୍ୟ୍ୟକାରୀ ନେଇ ମହାସଂଘ ଦୁର୍ବାର ଲଢେଇ ଜାରି ରଖିବ ।
Powered by Froala Editor