ଆମେ ପଛେ ମରିଯିବୁ, ନାତିକୁ କରୋନା ନହେଉ

ନାତିକୁ କାଳେ କରୋନା ହେବ ସେହି ଭୟରେ ବୃଦ୍ଧ ଦମ୍ପତି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏକ ହୃଦୟ ବିଦାରକ ଘଟଣା ରାଜସ୍ଥାନର କୋଟାରେ ଘଟିଛି। ଦିଲ୍ଲୀ-ମୁମ୍ବାଇ ରେଲଓ୍ବେ ଟ୍ରାକ୍ ରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ ରେଳ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ସେମାନଙ୍କ ବୟସ ୭୦-୭୫ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ଦେଇଛି। ଯାଞ୍ଚ ପରେ ଜଣାପଡ଼ିଲା ବୃଦ୍ଧ ଦମ୍ପତି କରୋନା ପଜିଟିଭ୍ ଥିଲେ ଏବଂ ତାଙ୍କୁ ଡର ଥିଲା, ତାଙ୍କ ପାଖରୁ ପରିବାର ଲୋକ ସଂକ୍ରମିତ ହୋଇଯିବେ ।ବିଶେଷ କରି ତାଙ୍କର ୧୯ ବର୍ଷୀୟ ନାତି କରୋନା ସଂକ୍ରମିତ ହୋଇପାରେ।
୮ ବର୍ଷ ପୂର୍ବରୁ ଦମ୍ପତି ନିଜର ଏକମାତ୍ର ପୁଅକୁ ଦୁର୍ଘଟଣାରେ ହରାଇଥିଲେ। ତାପରେ ସବୁବେଳେ ସେମାନେ ନିଜର ଏକମାତ୍ର ନାତି ପାଇଁ ଚିନ୍ତାରେ ରହୁଥିଲେ। ବୃଦ୍ଧ ଦମ୍ପତିଙ୍କ ନାତି ନିଜର ମା ଏବଂ ଦୁଇ ଭଉଣୀଙ୍କ ସହ କୋଟା ସହରର ରେଲଓ୍ବେ କଲୋନିରେ ରହୁଛନ୍ତି। ବୃଦ୍ଧ ଦମ୍ପତିଙ୍କ ଠାରେ ଗମ୍ଭୀର ଲକ୍ଷଣ ନଥିଲା। କିନ୍ତୁ ପରିବାର ଲୋକ ଏବଂ ନାତିକୁ କରୋନା ସଂକ୍ରମଣ ହୋଇଯିବା ଭୟରେ ସେମାନେ ଆତ୍ମହତ୍ୟା କରିଥିବା ଡିଏସପି ସୂଚନା ଦେଇଛନ୍ତି।
Powered by Froala Editor