ବଡ଼ଖବର : ନନ୍ଦୀଗ୍ରାମରେ ବଢୁଛି ମମତାଙ୍କ ଭୋଟ
କୋଲକାତା : ନନ୍ଦୀଗ୍ରାମ ବିଧାନସଭା ଆସନର ଆଉ ଏକ ରାଉଣ୍ଡ ଭୋଟ ଗଣତିର ଫଳାଫଳ ଆସିଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀ ୨୭୬୪୦ ଭୋଟ ପାଇଥିବାବେଳେ ମମତା ବାନାର୍ଜୀ ୨୩୯୩୦ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ସିପିଏମର ମୀନାକ୍ଷୀ ମୁଖାର୍ଜୀ ୧୬୧୪ ଭୋଟ ପାଇଛନ୍ତି । ଏଯାବତ ୫୩ ହଜାର ଭୋଟ ଗଣତି ହୋଇଛି । ତେବେ ପୂର୍ବରୁ ମମତା ୮ ହଜାର ଭୋଟରେ ପଛୁଆ ଥିବାବେଳେ ଏବେ ତାହା ୪ ହଜାର ଭିତରେ ସୀମିତ ରହିଛି ।
ଗୋଟିଏ ପଟେ ଗଣତି ଜାରି ରହିଥିବାବେଳେ ମମତାଙ୍କ ପରାଜୟ ଖବରକୁ ନେଇ ଟିଏମସି ଚିନ୍ତାରେ ପଡ଼ିଯାଇଛି । ତେବେ ନନ୍ଦୀଗ୍ରାମର ଯେଉଁ ଅଂଚଳରେ ବିଜେପିର ଭୋଟ ଅଧିକ ରହିଛି ସେଠାରେ ଭୋଟ ଗଣତି କରାଯାଉଛି । କିନ୍ତୁ ଯେଉଁ ଅଂଚଳରେ ମମତା ବହୁ ଭୋଟ ପାଇବେ ସେଠାରେ ଇଭିଏମ ଗଣତି ଆରମ୍ଭ ହୋଇନାହିଁ । ଫଳରେ ମମତା ନିଶ୍ଚିତ ବିଜୟୀ ହେବେବୋଲି ଟିଏମସି ପକ୍ଷରୁ କୁହାଯାଇଛି ।
କରୋନା ପାଇଁ ନିର୍ବାଚନ ବିଜୟ ଉତ୍ସବ ଉପରେ କଟକଣା ଲାଗିଛି । କିନ୍ତୁ ସମର୍ଥକମାନେ ମାନିବା ସ୍ଥିତିରେ ନାହାନ୍ତି । ସମ୍ପ୍ରତି ପଶ୍ଚିମବଙ୍ଗରେ ଟିଏମସି ବହୁ ଆସନରେ ଆଗୁଆ ରହିଛି । ପ୍ରାୟ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ଜାରି ରହିଥିବାବେଳେ ଟିଏମସି ୧୯୪ ଆସନରେ ଆଗୁଆ ଥିବାବେଳେ ବିଜେପି ୯୪ ଆସନରେ ଆଗରେ ରହିଛି ।
ମମତା ନନ୍ଦୀଗ୍ରାମରେ ପଛୁଆ ଥିଲେବି ବହୁ କାର୍ଯ୍ୟକର୍ତା ତାଙ୍କ ଘର ସାମ୍ନାରେ ପହଁଚି ଜିନ୍ଦାବାଦ ନାରାରେ କମ୍ପାଇ ଦେଉଥିବା ଦେଖିବାକୁ ମିଳିଛି । ଏପରିକି ମମତା ପ୍ରାୟ ଦୁଇ ଘଂଟାପରେ ଭର୍ଚୁଆଲ ମାଧ୍ୟମରେ କହିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
Powered by Froala Editor