ଓଆଇସି ବୈଠକରେ ହୁରିଆତ୍ କୁ ଆମନ୍ତ୍ରଣ, ଭାରତ ଅସନ୍ତୁଷ୍ଟ
ପାକିସ୍ତାନ ରାଜଧାନୀ ଇସ୍ଲାମାବାଦଠାରେ ଅନୁଷ୍ଠିତ ହେଉଥିବା ଇସ୍ଲାମିକ ସହଯୋଗ ସଂଗଠକ (ଓଆଇସି) ବୈଠକରେ କଶ୍ମୀରର ବିଚ୍ଛିନ୍ନତାବାଦୀ ସଂଗଠନ ହୁରିଆତ୍ କନଫରେନ୍ସକୁ ଆମନ୍ତ୍ରିତ କରାଯାଇଛି। ଏହାକୁ ଦୃଢ ବିରୋଧ କରିଛି ଭାରତ । ଆତଙ୍କବାଦରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ଓ ସଂଗଠନକୁ ଓଆଇସି ପ୍ରୋତ୍ସାହିତ କରିବ ବୋଲି ଭାରତ କେବେ ହେଲେ ଆଶା କରୁନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଓଆଇସି ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ମାର୍ଚ୍ଚ ୨୨-୨୩ରେ ଇସ୍ଲାମାବାଦରେ ହେବ। ଏଥିରେ ହୁରିଆତ୍ ନେତା ମଧ୍ୟ ଯୋଗଦେବେ। ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, “ଏପରି ପଦକ୍ଷେପକୁ ଭାରତ ସରକାର ବେଶ ଗୁରୁତ୍ୱର ସହ ନେଇଛନ୍ତି। ଏହା ଭାରତ ଏକତାକୁ ନଷ୍ଟ କରୁଛି ଓ ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ନିୟମକୁ ଉଲ୍ଲଙ୍ଘନ କରୁଛି। ଆତଙ୍କବାଦ କାର୍ଯ୍ୟକଳାପ ଓ ଭାରତ ବିରୋଧୀ ଆଭିମୁଖ୍ୟ ରଖିଥିବା ସଂଗଠନଗୁଡ଼ିକୁ ଓଆଇସି ପ୍ରୋତ୍ସାହିତ କରୁ ବୋଲି ଭାରତ କେବେ ଆଶା କରୁନାହିଁ।”
ପାକିସ୍ତାନର ନାଁ ନ ନେଇ ସେ କହିଛନ୍ତି ଯେ ଏହା ଦୁର୍ଭାଗ୍ୟଜନକ ଯେ ଓଆଇସି ବିକାଶ ଓ ଅନ୍ୟ ସମସ୍ୟାଗୁଡ଼ିକ ଉପରେ ଗୁରୁତ୍ବ ନଦେଇ ନିଜର ଗୋଟିଏ ସଦସ୍ୟ ରାଷ୍ଟ୍ରର ରାଜନୈତିକ ଏଜେଣ୍ଡାରେ ପରିଚାଳିତ ହେଉଛି । ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଲକ୍ଷ୍ୟ ରଖିଥିବା ଦେଶ ଓ ସଦସ୍ୟମାନେ ଯେମିତି ଓଆଇସିର ପ୍ଲାଟଫର୍ମକୁ ବ୍ୟବହାର ନ କରନ୍ତୁ ବୋଲି ସେ କହିଛନ୍ତି ।
Powered by Froala Editor