ଭାରତରେ ପହଞ୍ଚିଲା ସ୍ପୁଟନିକ୍-ଭି, ପ୍ରଥମ ପର୍ଯ୍ୟାୟରେ କେତେ ଆସିଲା ଜାଣନ୍ତୁ...
![ଭାରତରେ ପହଞ୍ଚିଲା ସ୍ପୁଟନିକ୍-ଭି, ପ୍ରଥମ ପର୍ଯ୍ୟାୟରେ କେତେ ଆସିଲା ଜାଣନ୍ତୁ...](https://odishanewslens.com/news_gallery/1141_1619881464.jpg)
ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ ଖୁସି ଖବର । ଏବେ ଦେଶବାସୀ ପାଇ ପାରିବେ ପୁଣି ଏକ ଟିକା । କୋଭିଶିଲ୍ଡ ଓ କୋଭାକ୍ସିନ୍ ପରେ ରୁଷିଆ ଟିକା ସ୍ପୁଟନିକ୍-ଭି ଭାରତରେ ପହଞ୍ଚିଛି । ଏହାଦ୍ୱାରା ଦେଶରେ ଚାଲିଥିବା ଟିକାକରଣ ଆହୁରି ଜୋରଦାର୍ ହେବ ବୋଲି କୁହାଯାଉଛି ।
ଶନିବାର ପ୍ରଥମ ପର୍ଯ୍ୟାୟରେ ଦେଢ଼ ଲକ୍ଷ ଡୋଜ୍ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିଛି । ଆଉ ୩୦ ଲକ୍ଷ ଡୋଜ ମେ’ ମାସ ଶେଷରେ ପହଞ୍ଚିବ ବୋଲି କୁହାଯାଉଛି । ସ୍ପୁଟନିକ୍-ଭି ଟିକା ପ୍ରଥମ ଡୋଜ୍ ନେବାର ୨୧ ଦିନ ପରେ ଦ୍ୱିତୀୟ ଡୋଜ୍ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଏହି ଟିକା ନେବାର ୨୮ରୁ ୪୨ ଦିନ ଭିତରେ ଆଣ୍ଟିବଡ଼ି ସୃଷ୍ଟି ହେବ ବୋଲି କୁହାଯାଉଛି ।
ଏପ୍ରିଲରେ ଭାରତରେ ସ୍ପୁଟନିକ୍-ଭିର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ଦିଆଯାଇଥିଲା । ଭାରତରେ କେନ୍ଦ୍ରୀୟ ଔଷଧି ପ୍ରାଧିକରଣର ଏକ ବିଶେଷଜ୍ଞ କମିଟି ଦେଶରେ କିଛି ସର୍ତ୍ତ ସହ ରୁଷର କରୋନା ଟିକା ସ୍ପୁଟନିକ୍-ଭିର ଜରୁରୀକାଳୀନ ବ୍ୟବହାର କରିବା ପାଇଁ ସୁପାରିସ୍ କରିଥିଲା । ଯାହା ଉପରେ ଡିସିଜିଆଇ ମୋହର ଲଗାଇଥିଲା ।
ଗମାଲେୟା ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଯେ କରୋନା ବିରୋଧରେ ଚାଲିଥିବା ଲଢ଼େ଼ଇରେ ଏ ପର୍ଯ୍ୟନ୍ତ ଯେଉଁସବୁ ଟିକା କାର୍ଯ୍ୟକାରୀ ହେଉଛି, ସେଥିମଧ୍ୟରୁ ସ୍ପୁଟନିକ୍-ଭି ସବୁଠାରୁ ଅଧିକ ପ୍ରଭାବଶାଳୀ । ଏହା ଅନ୍ୟ ଟିକା ଅପେକ୍ଷା ଅଧିକ ଫଳପ୍ରଦ । ଏହାଦ୍ୱାରା ସଂକ୍ରମଣ ଆଶଙ୍କା କମ୍ ରହିଥିବା ଦୃଢ଼ ଦାବି କରାଯାଇଛି । ଯାହା ଫଳରେ ଏହା ଉପରେ ଲୋକଙ୍କ ଅଧିକ ଭରସା ରହିଛି । ଏବେ ଏହା ଭାରତରେ ପହଞ୍ଚିବା ପରେ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି ।
Powered by Froala Editor