ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍ ଅବଧି
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀ ଏବେ ହଟସ୍ପଟ୍ ପାଲଟିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶତ ଚେଷ୍ଟା ପରେ ମଧ୍ୟ ଚେନରେ ବ୍ରେକ୍ ଲାଗୁନି । ଯାହାକୁ ନେଇ ଏବେ ସବୁ ମହଲରେ ଚିନ୍ତା । ଏସବୁ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଲକଡାଉନ୍ ଅବଧି ଆଉ ସପ୍ତାହେ ବୃଦ୍ଧି କରିଛନ୍ତି । ଏନେଇ କେଜ୍ରିୱାଲ୍ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
ପୂର୍ବରୁ ଏପ୍ରିଲ୍ ୨୫ ତାରିଖରେ ଦିଲ୍ଲୀରେ ଲକଡାଉନକୁ ସପ୍ତାହେ ବଢ଼ା ଯାଇଥିଲା, ଯାହା ସୋମବାର ସକାଳ ୫ଟା ବେଳେ ଶେଷ ହେବ । ଏବେ ରାଜଧାନୀ ସପ୍ତାହେ ବୃଦ୍ଧି କରାଯିବା ପରେ ଲକଡାଉନ୍ ୧୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଏହି ସମୟରେ ପୂର୍ବଭଳି ଅତ୍ୟାବଶକ ସାମଗ୍ରୀକୁ କଟକଣାମୁକ୍ତ କରାଯାଇଛି । ଲକଡାଉନ୍ ସମୟରେ ମେଡିସିନ୍ ଦୋକାନ, ପରିବା ଦୋକାନ ଓ ରାସନ୍ ଦୋକାନ ଖୋଲା ରହିବ । ତେବେ ଦୋକାନାର ମାଲିକ ଓ ଗ୍ରାହକଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡ଼ିବ । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । କେବଳ ସେତିକି ନୁହେଁ, ଯେଉଁମାନେ ଅମାନିଆ ହେବେ ସେମାନଙ୍କୁ କଠୋର ଦଣ୍ଡାଦେଶ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଚଳିତ ସପ୍ତାହରେ ବ୍ୟବସାୟୀ ମହାସଂଘ (କ୍ୟାଟ) ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଏକ ପତ୍ର ଲେଖାଯାଇଥିଲା । ଲକ୍ଡାଉନ ପରେ ବି କରୋନା ଗତିରେ ବ୍ରେକ ଲାଗିନାହିଁ ବୋଲି ଉଲ୍ଲେଖ ଥିଲା । ତେଣୁ ଲକଡାଉନ୍ ଅବଧିକୁ ମେ’ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ଅନୁରୋଧ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଲକଡାଉନ୍ ବୃଦ୍ଧି କରିଥିବା କୁହାଯାଉଛି ।
Powered by Froala Editor